ନୂଆଦିଲ୍ଲୀ: ଅଯୋଧ୍ୟାର ରାମମନ୍ଦିର ଦାନ ପରିଚାଳନାରେ ଅନିୟମିତତା ନେଇ ଖବର ପ୍ରକାଶ କରିଥିବା ସାମ୍ବାଦିକ ଅଭିଷେକ ଉପାଧ୍ୟାୟଙ୍କୁ ଗିରଫରୁ ସୁରକ୍ଷା ପ୍ରଦାନ କରିଛନ୍ତି ସୁପ୍ରିମ୍କୋର୍ଟ। ତାଙ୍କ ବିରୋଧରେ ଗାଜିଆବାଦ ପୁଲିସ ଏକ ରୋଡ୍ ରେଜ୍ ମାମଲାରେ ଏତଲା ରୁଜୁ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଉପାଧ୍ୟାୟ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହ ଗାଜିଆବାଦର ଇନ୍ଦିରାପୁରମ୍ ଥାନାରେ ରୁଜୁ ହୋଇଥିବା ଏତଲାର ଏକ କପି ଅଭିଷେକ ଉପାଧ୍ୟାୟଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏତଲା ରଦ୍ଦ କରିବା ପାଇଁ ଅଭିଷେକଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ସୁପ୍ରିମ୍କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭ରେ ହେବ।
ଆବେଦନରେ ଉପାଧ୍ୟାୟ ଦାବି କରିଛନ୍ତି ଯେ, ତାଙ୍କ ବିରୋଧରେ ରୁଜୁ ଏତଲାର କପି ତାଙ୍କୁ ଦିଆଯାଇନାହିଁ। ଏଥିସହ ପୁଲିସ ନିକଟସ୍ଥ ଦୋକାନୀମାନଙ୍କୁ ଘଟଣା ସମୟର ଗୁରୁତ୍ୱପୂର୍ଣ୍ଣ ସିସିଟିଭି ଫୁଟେଜ୍ ହଟାଇବାକୁ ବାଧ୍ୟ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଏତଲାର ତଦନ୍ତ ଏକ ନିରପେକ୍ଷ ସଂସ୍ଥା ଦ୍ବାରା କରାଯିବାକୁ ମଧ୍ୟ ଅଭିଷେକ ଉପାଧ୍ୟାୟ ଦାବି କରିଛନ୍ତି।




