ପୁରୀ/ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଶେଷ ହେବା ପରେ ପରମ୍ପରା ଅନୁଯାୟୀ ପୁରୀରେ ଆରମ୍ଭ ହୋଇଛି ତିନି ରଥର ଭଙ୍ଗା କାର୍ଯ୍ୟ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ର ସୂଚନା ଓ ତତ୍ତ୍ୱାବଧାନରେ ମଙ୍ଗଳବାର ଦିନ ଭୋଇ ସେବାୟତମାନେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥରୁ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ରୀତିନୀତି ଅନୁସାରେ, ସର୍ବପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତା’ପରେ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ଭଙ୍ଗାଯାଏ। ଦର୍ପଦଳନ ରଥର କଳସ କାଢ଼ିବା ସହ ଏହି ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି।
“ଶ୍ରୀମନ୍ଦିର ପ୍ରଶାସନଠାରୁ ନିର୍ଦ୍ଦେଶନାମା ପାଇବା ପରେ ଆମେ ରଥ ଭଙ୍ଗା କାମ ଆରମ୍ଭ କରିଛୁ। ଭୋଇ ସର୍ଦ୍ଦାର ଭାବେ ଚିଠି ପାଇବା ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର କଳସ କଢ଼ାଯାଇଛି ଏବଂ କାର୍ଯ୍ୟ ଜାରି ରହିଛି।”
“ଦର୍ପଦଳନ ରଥ ଭଙ୍ଗା କାମ ଶେଷ ହେବାକୁ ପ୍ରାୟ ୫ ଦିନ ସମୟ ଲାଗିବ। ଏହାପରେ ତାଳଧ୍ୱଜ ଏବଂ ପରେ ନନ୍ଦିଘୋଷ ରଥ ଭଙ୍ଗାଯିବ। ସମ୍ପୂର୍ଣ୍ଣ ତିନି ରଥ ଭଙ୍ଗା ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୧୫ ଦିନ ସମୟ ଲାଗିବ।”
ରଥଯାତ୍ରା ସମାପ୍ତ ପରେ ରଥଗୁଡ଼ିକର ବିଭିନ୍ନ ଅଂଶକୁ ଅଲଗା କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନର ନିୟମାନୁସାରେ:
ପୁନଃବ୍ୟବହାର ଯୋଗ୍ୟ ଅଂଶ ଯେପରିକି ରଥ ଚକ ଓ ଦ୍ୱାରବନ୍ଧ ଆଦିକୁ ପରବର୍ତ୍ତୀ ସମୟରେ ନିଲାମ କରାଯିବ।ରଥର ଅନ୍ୟାନ୍ୟ ଛୋଟ ଛୋଟ କାଠ ଖଣ୍ଡଗୁଡ଼ିକୁ ମହାପ୍ରଭୁଙ୍କ ‘କୋଠ ଭୋଗ’ ରୋଷେଇ ପାଇଁ ନ୍ୟାସ କାଠ (ଜାଳେଣି) ଭାବେ ବ୍ୟବହାର କରାଯିବ।
କ୍ରମାନ୍ୱୟରେ ତିନୋଟି ଯାକ ରଥକୁ ଅଲଗା କରାଯାଉଥିବାରୁ ଏହି ପ୍ରକ୍ରିୟା ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଚାଲିବ।




