ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ‘ପାକିସ୍ତାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍’ ହସ୍ପିଟାଲରେ ବୁଧବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଅତି କମରେ ୧୫ଟି ନବଜାତ ଶିଶୁଙ୍କର କରୁଣ ମୃତ୍ୟୁ ଘଟିଛି।
ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ତୃତୀୟ ମହଲାରେ ଥିବା ନର୍ସରୀ ରେ ସକାଳ ପ୍ରାୟ ୬:୪୫ ମିନିଟ୍ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।ଏୟାର କଣ୍ଡିସନର ସୋର୍ଟ ସର୍କିଟ୍ କିମ୍ବା କମ୍ପ୍ରେସର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ସମୟରେ ନର୍ସରୀରେ ୧୬ଟି ନବଜାତ ଶିଶୁ ଥିଲେ।ଫାୟାରଫାଇଟରମାନେ ଗ୍ଲାସ୍ ଝରକା ଭାଙ୍ଗି ଭିତରକୁ ପଶି ଅଗ୍ନିଶମ ଅଭିଯାନ ଆରମ୍ଭ କରିଥିଲେ।ତେବେ ମାତ୍ର ଜଣେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥିବା ବେଳେ ୧୪ରୁ ୧୫ଟି ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଏହି ହୃଦୟବିଦାରକ ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ଗଭୀର ଶୋକ ପ୍ରକାଶ କରିବା ସହ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଏହାସହ ଘଟଣାର ସଠିକ୍ କାରଣ ଖୋଜିବା ପାଇଁ ଅତିରିକ୍ତ ଡେପୁଟି କମିଶନରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି।
ସୂଚନାଯୋଗ୍ୟ, PIMS ହେଉଛି ପାକିସ୍ତାନର ପ୍ରମୁଖ ସରକାରୀ ମେଡିକାଲ, ଯେଉଁଠାରେ ଚଳିତ ବର୍ଷ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କର କୋର୍ଟ ନିର୍ଦ୍ଦେଶିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।




