ଲକ୍ଷ୍ନୌ: ରକ୍ଷାବନ୍ଧନ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ରାଜ୍ୟର ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌଠାରେ ‘ଲୋକମତ ଅହଲ୍ୟାବାଈ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ କରି ସ୍ୱତନ୍ତ୍ର ବସ୍‌ସେବାର ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି। ଏହି ଯୋଜନା ଅଧୀନରେ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ମହିଳାମାନଙ୍କୁ ଆଜୀବନ ମାଗଣା ବସ୍ ଯାତ୍ରା ସୁବିଧା ଯୋଗାଇ ଦିଆଯିବ।

ଅଷ୍ଟାଦଶ ଶତାବ୍ଦୀର ଶାସକ ତଥା ନାରୀ ସଶକ୍ତୀକରଣ ଓ ସୁଶାସନର ପ୍ରତୀକ ଅହଲ୍ୟାବାଈ ହୋଲକରଙ୍କ ସ୍ମୃତିରେ ଏହି ଯୋଜନାର ନାମକରଣ କରାଯାଇଛି।

ଅଗଷ୍ଟ ୨୭, ୨୮ ଏବଂ ୨୯ ତାରିଖ (ତିନି ଦିନ) ପାଇଁ ରାଜ୍ୟର ସମସ୍ତ ଭଉଣୀ, ଝିଅ ଓ ମା’ମାନଙ୍କ ପାଇଁ ବସ୍ ଯାତ୍ରା ସମ୍ପୂର୍ଣ୍ଣ ମାଗଣା ରହିବ। ଏହି ସୁବିଧା ସେମାନଙ୍କ ସହ ଯାଉଥିବା ଜଣେ ସହ-ଯାତ୍ରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଅଗଷ୍ଟ ୨୯ ପରେ ଉତ୍ତର ପ୍ରଦେଶର ସ୍ଥାୟୀ ବାସିନ୍ଦା ଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନେ ସେମାନଙ୍କର ପରିଚୟ ପତ୍ର (ଯେପରିକି ଭୋଟର ଆଇଡି କିମ୍ବା ଆଧାର କାର୍ଡ) ଦେଖାଇ ଆଜୀବନ ମାଗଣାରେ ବସ୍‌ରେ ଯାତାୟାତ କରିପାରିବେ।

ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ମହିଳା ହିତାଧିକାରୀମାନଙ୍କୁ ସ୍ମାର୍ଟ ଟ୍ରାଭେଲ କାର୍ଡ ବଣ୍ଟନ କରିଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, “ଅହଲ୍ୟାବାଈ ହୋଲକର ଭାରତର ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ପାଇଁ ଅତୁଳନୀୟ ଯୋଗଦାନ ଦେଇଥିଲେ। ନାରୀ ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ସେ ଏକ ଉଦାହରଣ। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏହି ଯୋଜନାର ନାମକରଣ କରାଯାଇଛି।” ରାଜ୍ୟର ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହଙ୍କ ପ୍ରସ୍ତାବ କ୍ରମେ ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଇଛି।