କାଠମାଣ୍ଡୁ: ତିବ୍ବତରୁ ହଠାତ୍ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଉତ୍ତର ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରସୁୱା ଜିଲ୍ଲାର ତିମୁର ଓ ସ୍ୟାଫ୍ରୁବେସି ଅଞ୍ଚଳରେ ହଠାତ୍ ବନ୍ୟା ଆସିବା ପରେ ଆତଙ୍କ ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ପୁଲିସ କର୍ମଚାରୀ ନିଖୋଜ ଥିବା ସୂଚନା ମିଳିଛି। ଚୀନ୍ ସୀମାରେ ଡ୍ୟୁଟିରେ ଥିବା ୯ ଜଣ ଯବାନ ମଧ୍ୟ ନିଖୋଜ ଅଛନ୍ତି।

ପରିସ୍ଥିତିର ଗମ୍ଭୀରତା ଦେଖି ରସୁୱା, ନୁୱାକୋଟ, ଧାଡିଂ, ଗୋର୍ଖା ଓ ଚିତୱାନ ସମେତ ଏକାଧିକ ଜିଲ୍ଲାର ନଦୀକୂଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ନେପାଳ ସେନା ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚଳାଇଛି। ଉଦ୍ଧାର ପାଇଁ ୭ଟି ହେଲିକପ୍ଟର ଓ ୩୫ ଜଣ ଉଦ୍ଧାରକର୍ମୀଙ୍କୁ ନିୟୋଜିତ କରାଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ବନ୍ୟାରେ ଶତାଧିକ ଲୋକ ଫସି ରହିଛନ୍ତି। ପ୍ରାୟ ୩୦୦ ଗାଡ଼ି ଭାସିଯାଇଥିବା ଆଶଙ୍କା କରାଯାଉଛି। ନେପାଳ ସରକାରଙ୍କ ଅନୁସାରେ ୩୪୫ ଜଣ ପର୍ଯ୍ୟଟକଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ସେମାନଙ୍କ ମଧ୍ୟରୁ ୨୯୧ ଜଣ ବିଦେଶୀ ଥିବା ଜଣାପଡ଼ିଛି। ହଠାତ୍ ଜଳପ୍ରବାହ ବଢ଼ିଯିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଭୂସ୍ଖଳନ ପରେ ବଢ଼ିଲା ଜଳପ୍ରବାହ

ନେପାଳୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବୁଧବାର ସକାଳ ପ୍ରାୟ ୮ଟାରେ ତିବ୍ବତରେ ୪.୪ ତୀବ୍ରତାର ଭୂକମ୍ପ ହୋଇଥିଲା। ଏହାର କିଛି ସମୟ ପରେ ଲେଣ୍ଡେ ନଦୀ ନିକଟରେ ଭୂସ୍ଖଳନ ହୋଇ ନଦୀ ପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ପରେ ହଠାତ୍ ବିପୁଳ ଜଳରାଶି ନେପାଳ ଆଡ଼କୁ ପ୍ରବାହିତ ହୋଇଥିବା କୁହାଯାଉଛି।

ସକାଳ ପ୍ରାୟ ୯ଟାରେ ଭୋଟେ କୋଶି ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ି ତ୍ରିଶୂଳୀ ନଦୀ ଦେଇ ନୁୱାକୋଟ ଆଡ଼କୁ ପ୍ରବାହିତ ହୋଇଥିଲା। ରସୁୱାର ତିମୁର ବଜାର, ତିମୁର କଷ୍ଟମ୍ସ କାର୍ଯ୍ୟାଳୟ ଓ ସ୍ୟାଫ୍ରୁବେସି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଜଳବିଜ୍ଞାନ ବିଶେଷଜ୍ଞଙ୍କ ପ୍ରାଥମିକ ଆକଳନ ଅନୁସାରେ, ଏହି ହଠାତ୍ ଜଳପ୍ରବାହ କେବଳ ସ୍ଥାନୀୟ ବର୍ଷା ଯୋଗୁଁ ହୋଇନଥାଇପାରେ। ତିବ୍ବତରେ ହିମବାହ ହ୍ରଦ ଫାଟିଯିବା ଜନିତ ବନ୍ୟା ଏହାର କାରଣ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ ଉତ୍ସ ଜାଣିବା ପାଇଁ ସାଟେଲାଇଟ୍‌ ତଥ୍ୟ ଯାଞ୍ଚ କରାଯାଉଛି।

ଭାରତର ବିହାର-ୟୁପିରେ ମଧ୍ୟ ସତର୍କତା

ତିବ୍ବତରୁ ଆସିଥିବା ଜଳପ୍ରବାହ ନେପାଳର ଭୋଟେ କୋଶି ଓ ତ୍ରିଶୂଳୀ ନଦୀ ଦେଇ ଆଗକୁ ବଢ଼ୁଥିବାରୁ ଭାରତର ବିହାର ଓ ଉତ୍ତରପ୍ରଦେଶରେ ମଧ୍ୟ ସତର୍କତା ଜାରି କରାଯାଇଛି। ବିହାରର ଚମ୍ପାରଣ, ବେତିଆ, ମଧୁବାଣୀ ସମେତ ସୀମାନ୍ତ ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି।

ନେପାଳର ଜଳବିଜ୍ଞାନ ଓ ପାଣିପାଗ ବିଭାଗ ସ୍ଥାନୀୟ ପ୍ରଶାସନ ସହ ମିଶି ସ୍ଥିତି ଉପରେ ନଜର ରଖିଛି। ନଦୀକୂଳ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ହେଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପରାମର୍ଶ ଦେଇଛି।