ୱାସିଂଟନ୍: ଆମେରିକାରେ ଗୋମାଂସ ଯୋଗାଣ ବୃଦ୍ଧି କରିବା ଏବଂ ଖାଉଟିଙ୍କ ପାଇଁ ଦର ନିୟନ୍ତ୍ରଣରେ ରଖିବା ଲକ୍ଷ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କମ୍ ଶୁଳ୍କରେ ୩ ଲକ୍ଷ ମେଟ୍ରିକ୍ ଟନ୍ ‘ଲିନ୍ ବିଫ୍ ଟ୍ରିମିଂସ୍’ ଆମଦାନୀ ପାଇଁ ସେ ଅସ୍ଥାୟୀ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ସେପ୍ଟେମ୍ବର ୧ ତାରିଖରୁ ୯୦ ଦିନ ପାଇଁ ଏହି କମ୍ ଟିକସ ବ୍ୟବସ୍ଥା ଲାଗୁ ହେବ। ଏହି ମୋଟ ୩ ଲକ୍ଷ ମେଟ୍ରିକ୍ ଟନ୍ ଆମଦାନୀକୁ ୧ ଲକ୍ଷ ମେଟ୍ରିକ୍ ଟନ୍ ଲେଖାଏଁ ୩ଟି ପର୍ଯ୍ୟାୟ ରେ ବିଭକ୍ତ କରାଯାଇଛି:
- ପ୍ରଥମ ପର୍ଯ୍ୟାୟ: ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦।
- ଦ୍ୱିତୀୟ ପର୍ଯ୍ୟାୟ: ଅକ୍ଟୋବର ୧ରୁ ଅକ୍ଟୋବର ୩୦।
- ତୃତୀୟ ପର୍ଯ୍ୟାୟ: ଅକ୍ଟୋବର ୩୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ।
କାହିଁକି ନିଆଗଲା ଏହି ନିଷ୍ପତ୍ତି?
ଆମେରିକାରେ ପ୍ରାକୃତିକ ବିପର୍ଯ୍ୟୟ, ଖରାପ ପାଗ, ମରୁଡ଼ି ଏବଂ ଗୋରୁଙ୍କ ମଧ୍ୟରେ ସଂକ୍ରାମକ ରୋଗ ବ୍ୟାପିବା ଯୋଗୁଁ ଗୋପାଳନ କ୍ଷେତ୍ର ପ୍ରଭାବିତ ହୋଇଛି। ଗତ ୭୫ ବର୍ଷ ମଧ୍ୟରେ ଆମେରିକାରେ ଗୋରୁଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏହି କାରଣରୁ ଘରୋଇ ବଜାରରେ ଚାହିଦା ଅନୁଯାୟୀ ଯୋଗାଣ ହୋଇପାରୁ ନାହିଁ।
ଏହା ବ୍ୟତୀତ ମେକ୍ସିକୋରୁ ସଂକ୍ରମଣ ଭୟ ଯୋଗୁଁ ଜୀବନ୍ତ ଗୋରୁ ଆମଦାନୀ ଉପରେ କଟକଣା ଲଗାଯାଇଥିବାରୁ ମଧ୍ୟ ଆମେରିକାରେ ଗୋମାଂସ ଉତ୍ପାଦନ ହ୍ରାସ ପାଇଛି।
ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ଏହି ଅସ୍ଥାୟୀ ନିଷ୍ପତ୍ତି ଯୋଗୁଁ ଆମେରିକାର ଗୋମାଂସ ଯୋଗାଣ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇବ। ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ କଠିନ ପରିଶ୍ରମ କରୁଥିବା ଆମେରିକୀୟ ନାଗରିକଙ୍କୁ ଉଚିତ୍ ମୂଲ୍ୟରେ ଖାଦ୍ୟ ଯୋଗାଇବା ତାଙ୍କର ଦାୟିତ୍ୱ।
ତେବେ ଏହି ଆମଦାନୀ ଫଳରେ ଯଦି ଖାଉଟିଙ୍କ ପାଇଁ ଗୋମାଂସ ଦର ହ୍ରାସ ନହୁଏ, ତେବେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ମଧ୍ୟ କରାଯାଇପାରେ।




