କାଠମାଣ୍ଡୁ: ନେପାଳର ଭୋଟେ କୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୧୭୭ରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ୧୭୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୮୦୦ରୁ ଉର୍ଦ୍ଧ୍ୱ ଲୋକ ଏବେ ବି ନିଖୋଜ ରହିଥିବା ନେପାଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଚୀନ୍‌ର ତିବ୍ଦତ ଅଞ୍ଚଳରୁ ସୃଷ୍ଟି ହୋଇଥିବା ଏହି ବନ୍ୟା ଭୋଟେ କୋଶୀ ନଦୀ ଦେଇ ନେପାଳରେ ବ୍ୟାପକ ଧନଜୀବନ ହାନି କରିଛି।

ନଦୀର ନିମ୍ନଭାଗରେ ଥିବା ରସୁଆ, ନୁୱାକୋଟ, ଧାଡିଙ୍ଗ, ଚିତୱାନ, ଗୋରଖା, ତାନାହୁନ, ନବଲପରାସୀ (ପୂର୍ବ) ଏବଂ ନବଲପରାସୀ (ପଶ୍ଚିମ) ଜିଲ୍ଲାଗୁଡ଼ିକରୁ ମୃତଦେହଗୁଡ଼ିକ ଜବତ କରାଯାଇଛି। ଦକ୍ଷିଣ ନେପାଳର ଚିତୱାନ ଜିଲ୍ଲାରୁ ସର୍ବାଧିକ ମୃତଦେହ ମିଳିଛି।

ବନ୍ୟା ଜଳ ଜନବସତି, ହାଇଡ୍ରୋପାୱାର ପ୍ରକଳ୍ପ, କଷ୍ଟମ୍ସ କାର୍ଯ୍ୟାଳୟ ଏବଂ ବିଦ୍ୟୁତ୍ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧୋଇ ନେଇଛି।

ଉଦ୍ଧାର କାର୍ଯ୍ୟ ଓ ୮୨୬ ନିଖୋଜ:

ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି ଯେ, ସେନା ପକ୍ଷରୁ ବନ୍ୟା ପ୍ରଭାବିତ ତିମୁରେ ଅଞ୍ଚଳରୁ ୯୫ ଜଣ ନେପାଳୀ ନାଗରିକ ଏବଂ ୨୧ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (NDRRMA) ଅନୁଯାୟୀ, ଗୁରୁବାର ସୁଦ୍ଧା ୮୨୬ ଜଣ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୫୭୯ ଜଣ ପର୍ଯ୍ୟଟକ, ୪୮ ଜଣ ନେପାଳୀ ସେନା ଯବାନ, ୨୮ ଜଣ ପୋଲିସ, ୧୩ ଜଣ ଏଆରପିଏଫ ଯବାନ ଏବଂ ୧୬୨ ଜଣ ସ୍ଥାନୀୟ ନାଗରିକ ରହିଛନ୍ତି।

ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଏବଂ ନିର୍ମାଣ ଓ ଭିତ୍ତିଭୂମି ମନ୍ତ୍ରୀ ବନ୍ୟା ପ୍ରଭାବିତ ନୁୱାକୋଟ ଜିଲ୍ଲାର ବିଦୁର ପୌରାଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଶାସନିକ ଅଧିକାରୀ, ସୁରକ୍ଷା ଏଜେନ୍ସି ଓ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରି ରିଲିଫ୍, ପୁନରୁଦ୍ଧାର ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନଃନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।