ନୂଆଦିଲ୍ଲୀ: ନେପାଳର ଭୋଟେ କୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପରିସ୍ଥିତିକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରି, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ କାଠମାଣ୍ଡୁ ଓ ବେଜିଂରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ସେ ବନ୍ୟା ସ୍ଥିତି ଏବଂ ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି।
ସୋସିଆଲ ମିଡିଆ ‘X’ରେ ସୂଚନା ଦେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଜରୁରୀ ପଦକ୍ଷେପ ନିଆଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଏଥିପାଇଁ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଟୁର୍ ଅପରେଟର ଏବଂ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି। ଭାରତ ସରକାର ନେପାଳ ପ୍ରଶାସନ ସହ ମିଳିତ ଭାବେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି।
ନେପାଳର ରିଲିଫ୍ କାର୍ଯ୍ୟକୁ ସହାୟତା କରିବା ପାଇଁ ଭାରତ ପକ୍ଷରୁ ୩୭.୫ ଟନ୍ ଓଜନର ଜରୁରୀ ରିଲିଫ୍ ସାମଗ୍ରୀ, ଔଷଧ ଏବଂ ଶୁଖିଲା ଖାଦ୍ୟ ବିଶିଷ୍ଟ ଦ୍ୱିତୀୟ ବିମାନ ପଠାଯାଇଛି।
ଚୀନ୍ର ତିବ୍ଦତ ଅଞ୍ଚଳରୁ ସୃଷ୍ଟି ହୋଇଥିବା ଏହି ବନ୍ୟା ଯୋଗୁଁ ନେପାଳରେ ବ୍ୟାପକ ତାଣ୍ଡବ ରଚନା ହୋଇଛି। ଗୁରୁବାର ସୁଦ୍ଧା ୧୭୭ ଜଣଙ୍କ ମୃତଦେହ ରସୁଆ, ନୁୱାକୋଟ, ଧାଡିଙ୍ଗ, ଚିତୱାନ ଆଦି ଜିଲ୍ଲାରୁ ଉଦ୍ଧାର କରାଯାଇଛି। ପ୍ରାୟ ୮୨୬ ଜଣ ଲୋକ ଅପତ୍ତା ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୫୭୯ ଜଣ ପର୍ଯ୍ୟଟକ, ୪୮ ଜଣ ନେପାଳୀ ସେନା, ୨୮ ଜଣ ପୋଲିସ, ୧୩ ଜଣ ଏଆରପିଏଫ ଯବାନ ଏବଂ ୧୬୨ ଜଣ ସ୍ଥାନୀୟ ନାଗରିକ ରହିଛନ୍ତି।
ବନ୍ୟା ଜଳରେ ଅନେକ ଜନବସତି, ହାଇଡ୍ରୋପାୱାର ପ୍ରକଳ୍ପ ଏବଂ ବିଦ୍ୟୁତ୍ ଭିତ୍ତିଭୂମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।




