ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସମର୍ଥିତ ଏକ ଗୁପ୍ତଚର ନେଟ୍ୱର୍କର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍। ଭାରତର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଯୋଗାଇବା ଅଭିଯୋଗରେ ପୁଲିସ ଦିଲ୍ଲୀର ଏକ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ୨୫ ବର୍ଷୀୟ ସାହିଲ୍ ଏବଂ ତାଙ୍କ ୨୧ ବର୍ଷୀୟ ପତ୍ନୀ ସମୀରା। ପୁଲିସ ଅଭିଯୋଗ ଅନୁସାରେ, ୨୦୨୪ରୁ ଉଭୟ ପାକିସ୍ତାନରେ ଥିବା ଗୁଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ।
ତଦନ୍ତରୁ ଏହି ନେଟ୍ୱର୍କର ଲିଙ୍କ୍ ଦିଲ୍ଲୀରୁ କରାଚୀ ଓ ଇସଲାମାବାଦ ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି। ପାକିସ୍ତାନରେ ଥିବା ସେମାନଙ୍କ ହ୍ୟାଣ୍ଡଲର୍ମାନେ ଦମ୍ପତିଙ୍କୁ ଟଙ୍କା ପଠାଉଥିବା ପୁଲିସ କହିଛି। ଅଭିଯୋଗ ଅନୁସାରେ, ୨୦୨୪ରୁ ୨୦୨୫ ମଧ୍ୟରେ ସାହିଲ୍ ଓ ସମୀରା ୮ଟି ଭାରତୀୟ ସିମ୍ କାର୍ଡ ସଂଗ୍ରହ କରିଥିଲେ। ପରେ ଏହି ସିମ୍ କାର୍ଡଗୁଡ଼ିକୁ ଦୁବାଇ ମାଧ୍ୟମରେ ପାକିସ୍ତାନ ପଠାଇଥିବା ଏବଂ ଏଥିପାଇଁ ସେମାନଙ୍କୁ ୩୦ ହଜାର ଟଙ୍କା ମିଳିଥିବା ପୁଲିସ ଦାବି କରିଛି।
ପୁଲିସ ଅନୁଯାୟୀ, ଏହି ସିମ୍ କାର୍ଡ ବ୍ୟବହାର କରି ପାକିସ୍ତାନରେ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲାଯାଇଥିଲା। ଏହି ଆକାଉଣ୍ଟ ମାଧ୍ୟମରେ ଭାରତରେ ଥିବା ଲୋକଙ୍କ ସହ ଯୋଗାଯୋଗ କରି ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରାଯାଉଥିଲା। ଏପରିକି କେତେକ ଆକାଉଣ୍ଟ ଜରିଆରେ ଭାରତୀୟ ହ୍ୱାଟ୍ସଆପ୍ ଗ୍ରୁପ୍ରେ ପ୍ରବେଶ କରି ତଥ୍ୟ ହାସଲ କରିବାକୁ ଉଦ୍ୟମ ହୋଇଥିବା ପୁଲିସ କହିଛି।
ସାହିଲ୍କୁ ଭାରତର ବିଭିନ୍ନ ସ୍ଥାନରେ ଥିବା ସାମରିକ ଛାଉଣିର ସର୍ବେକ୍ଷଣ କରିବା ଏବଂ ଗୁପ୍ତଚର କାର୍ଯ୍ୟ ପାଇଁ ଲୋକଙ୍କୁ ନିଯୁକ୍ତ କରିବାର ଦାୟିତ୍ୱ ଦିଆଯାଇଥିବା ପୁଲିସ ଅଭିଯୋଗ କରିଛି। ଏଥିସହ ସେନାର କୋର୍ଟ ମାର୍ସାଲ୍ ମାମଲାରେ ସାମରିକ ଟ୍ରିବ୍ୟୁନାଲ୍ର ସମ୍ମୁଖୀନ ହେଉଥିବା କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ସେ ତଥ୍ୟ ଯୋଗାଇଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି।
ପୁଲିସର ଦାବି ଅନୁଯାୟୀ, ୨୦୨୪ରେ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ସାହିଲ୍ ଜଣେ ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲେ। ସମୀରାଙ୍କ ସହାୟତାରେ ଏହି ଯୋଗାଯୋଗ ଆଗକୁ ବଢ଼ିଥିଲା। ପରେ ଉକ୍ତ ଏଜେଣ୍ଟ ସେମାନଙ୍କୁ ଜଣେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ପରିଚିତ କରାଇଥିଲେ। ଆର୍ଥିକ ଲାଭର ପ୍ରଲୋଭନ ଦେଇ ସେମାନଙ୍କୁ ଗୁପ୍ତଚର କାର୍ଯ୍ୟରେ ସାମିଲ କରାଯାଇଥିବା ପୁଲିସ କହିଛି।
ସ୍ପେସାଲ୍ ସେଲ୍ ପ୍ରଥମେ ସରାଇ କାଲେ ଖାଁର ଚାନ୍ଦ ବିବି କ୍ୟାମ୍ପ ଅଞ୍ଚଳରୁ ସାହିଲ୍ଙ୍କୁ ଗିରଫ କରିଥିଲା। ତାଙ୍କ ମୋବାଇଲ୍ ଫୋନ୍ର ଫରେନ୍ସିକ୍ ଯାଞ୍ଚ ସମୟରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ହୋଇଥିବା ଯୋଗାଯୋଗ ସମ୍ପର୍କିତ ତଥ୍ୟ ମିଳିଥିବା ପୁଲିସ ଦାବି କରିଛି। ଏହାପରେ ସମୀରାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଉଭୟଙ୍କଠାରୁ ଜବତ ଦୁଇଟି ମୋବାଇଲ୍ ଫୋନ୍ରୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗ ଏବଂ ଭାରତରେ ଥିବା ଗୁପ୍ତଚର ନେଟ୍ୱର୍କ ସମ୍ପର୍କିତ ତଥ୍ୟ ମିଳିଥିବା ପୁଲିସ କହିଛି। ମାମଲାରେ ନେଟ୍ୱର୍କ ସହ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଜାରି ରହିଛି।




