କାଠମାଣ୍ଡୁ: ନେପାଳରେ ସାମ୍ପ୍ରତିକ ଭୟଙ୍କର ଆକସ୍ମିକ ବନ୍ୟା ପରେ ହିମାଳୟର ଦ୍ରୁତ ହିମବାହ ତରଳିବାକୁ ନେଇ ଚିନ୍ତା ବଢ଼ିଛି। ବନ୍ୟା ଘଟିବାର ପ୍ରାୟ ୫ ମାସ ପୂର୍ବରୁ ପ୍ରକାଶିତ ଦୁଇଟି ରିପୋର୍ଟରେ ହିମାଳୟ ଅଞ୍ଚଳର ହିମବାହ ଦ୍ରୁତ ଗତିରେ ତରଳୁଥିବା ନେଇ ସତର୍କ କରାଯାଇଥିଲା। ଚଳିତବର୍ଷ ମାର୍ଚ୍ଚରେ ଆନ୍ତର୍ଜାତିକ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର (ଆଇସିଏମ୍ଓଡି) ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ହିନ୍ଦୁକୁଶ-ହିମାଳୟ ଅଞ୍ଚଳର ହିମବାହଗୁଡ଼ିକରେ ୧୯୭୫ ପରଠାରୁ ବରଫର ଘନତା ୨୭ ମିଟର ପର୍ଯ୍ୟନ୍ତ କମିଛି।
ଆଇସିଏମ୍ଓଡି ରିପୋର୍ଟରେ କୁହାଯାଇଛି ଯେ, ଏକବିଂଶ ଶତାବ୍ଦୀ ଆରମ୍ଭ ହେବା ପରଠାରୁ ହିମବାହରୁ ବରଫ କ୍ଷୟ ହେବାର ହାର ପ୍ରାୟ ଦୁଇଗୁଣ ହୋଇଛି। ୧୯୯୦ରୁ ୨୦୨୦ ମଧ୍ୟରେ ହିନ୍ଦୁକୁଶ-ହିମାଳୟ ଅଞ୍ଚଳର ହିମବାହଗୁଡ଼ିକ ସେମାନଙ୍କ ମୋଟ ଆୟତନର ପ୍ରାୟ ୧୨ ପ୍ରତିଶତ ହରାଇଥିବାବେଳେ ଆନୁମାନିକ ବରଫ ଭଣ୍ଡାରରେ ୯ ପ୍ରତିଶତ ହ୍ରାସ ଘଟିଛି। ହିମବାହ ତରଳିବାର ଏହି ଦ୍ରୁତ ହାର ହିମାଳୟର କେତେକ ଅଞ୍ଚଳ ଏକ ଗୁରୁତର ସଙ୍କଟପୂର୍ଣ୍ଣ ସୀମା ଆଡ଼କୁ ଗତି କରୁଥିବାର ସଙ୍କେତ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଥିଲା।
ନେପାଳର ସାମ୍ପ୍ରତିକ ଆକସ୍ମିକ ବନ୍ୟାର ପ୍ରକୃତ କାରଣ ନେଇ ବୈଜ୍ଞାନିକଙ୍କ ତଦନ୍ତ ଜାରି ରହିଛି। ତେବେ ବନ୍ୟା ପଛରେ ଏକାଧିକ କାରଣ ଥାଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି। ବିଶେଷକରି ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ପରିବର୍ତ୍ତେ ବର୍ଷା ହେବା ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ସମୁଦ୍ରପତ୍ତନଠାରୁ ୪,୦୦୦ ମିଟର ଓ ତା’ଠାରୁ ଅଧିକ ଉଚ୍ଚତାରେ ମଧ୍ୟ ତାପମାତ୍ରା ବୃଦ୍ଧି ଯୋଗୁଁ ଏଭଳି ପରିବର୍ତ୍ତନ ଦେଖାଯାଉଛି।
ଡେରାଡୁନସ୍ଥିତ ୱାଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହିମାଳୟାନ୍ ଜିଓଲୋଜିର ଜଣେ ବୈଜ୍ଞାନିକଙ୍କ ଅନୁଯାୟୀ, ତାପମାତ୍ରା ବଢ଼ିବା କାରଣରୁ ପୂର୍ବରୁ ଯେଉଁ ଉଚ୍ଚତାରେ ତୁଷାରପାତ ହେଉଥିଲା, ସେଠାରେ ଏବେ ବର୍ଷା ହେଉଛି। ଏହା ହିମବାହଗୁଡ଼ିକର ତରଳିବା ହାରକୁ ଆହୁରି ବଢ଼ାଉଛି।
ଆଇସିଏମ୍ଓଡିର ବରିଷ୍ଠ ହିମମଣ୍ଡଳ ବିଶେଷଜ୍ଞ ତଥା ଆଇଆଇଟି ଇନ୍ଦୋରର ସହଯୋଗୀ ପ୍ରଫେସର ମହମ୍ମଦ ଫାରୁକ ଆଜମଙ୍କ ଅନୁଯାୟୀ, ବରଫ ଆବରଣ କମିବା ଓ ହିମବାହ ତରଳିବା ଫଳରେ ଅଧିକ ପଥୁରିଆ ଏବଂ ଅନାବୃତ ଭୂଭାଗ ସାମ୍ନାକୁ ଆସୁଛି। ଏହି ଅନାବୃତ ଅଞ୍ଚଳଗୁଡ଼ିକ ଅଧିକ ତାପ ଶୋଷଣ କରୁଥିବାରୁ ପାହାଡ଼ ଢାଲଗୁଡ଼ିକ ଅଧିକ ଅସ୍ଥିର ହୋଇପଡ଼ୁଛି। ଫଳରେ ଭବିଷ୍ୟତରେ ଭୂସ୍ଖଳନ, ହିମବାହ ହ୍ରଦ ଫାଟି ବନ୍ୟା ଏବଂ ଅନ୍ୟାନ୍ୟ ପାହାଡ଼ିଆ ବିପର୍ଯ୍ୟୟର ଆଶଙ୍କା ବଢ଼ିପାରେ।




