ଭୁବନେଶ୍ୱର: ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍-୨୦୨୬ (MMDR Amendment Bill, 2026) କୁ ନେଇ ରାଜ୍ୟ ରାଜନୀତି ଗରମ ହୋଇଛି। ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ବିଜେପି ଲୋକସଭା ସାଂସଦମାନଙ୍କୁ ଚିଠି ଲେଖି ଏହି ସଂଶୋଧନ ବିଲ୍କୁ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ଏହି ଆଇନ ଓଡ଼ିଶାର ଆର୍ଥିକ ଓ ପ୍ରଶାସନିକ ସ୍ୱାର୍ଥ ଉପରେ ଗମ୍ଭୀର ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଗତ ଅଗଷ୍ଟ ୧୩ ତାରିଖରେ ଲୋକସଭାରେ ଏହି ବିଲ୍ ପାରିତ ହେବା ଓଡ଼ିଶା ପାଇଁ ଏକ “କଳା ଦିବସ” ଥିଲା। ରାଜ୍ୟ ପାଇଁ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲେ ସୁଦ୍ଧା ମାତ୍ର ୧୦ ମିନିଟରୁ କମ୍ ସମୟ ଆଲୋଚନା କରି ଏହାକୁ ପାରିତ କରାଯାଇଛି। ସେ କହିଛନ୍ତି ଯେ ଓଡ଼ିଶା ଏହି ନୂତନ ନିୟମ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବ।
ସାରା ଦେଶର ମୋଟ ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶାରେ ରହିଛି। ଭାରତର ଇସ୍ପାତ, ବିଦ୍ୟୁତ୍, ଖଣି ଓ ଭିତ୍ତିଭୂମି କ୍ଷେତ୍ରକୁ ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ସମୃଦ୍ଧ କରିଆସିଛି। ନବୀନ ଅଭିଯୋଗ କରିଛନ୍ତି ଯେ ଏହି ନୂଆ ସଂଶୋଧନ ଫଳରେ ଓଡ଼ିଶା ବାର୍ଷିକ ୧୨,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ହରାଇବ। ଦୀର୍ଘମିଆଦୀ ଭାବେ ଏହି କ୍ଷତିର ପରିମାଣ ଲକ୍ଷେ କୋଟି ଟଙ୍କା ଅତିକ୍ରମ କରିବ।
ନବୀନ କହିଛନ୍ତି ଯେ କେବଳ ଆର୍ଥିକ କ୍ଷତି ନୁହେଁ, ବରଂ ଖଣିଜ ସମ୍ପଦ ଓ ଖଣିଜ ପରିପୂର୍ଣ୍ଣ ଜମି ଉପରୁ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ହ୍ରାସ ପାଇବା ସବୁଠାରୁ ବଡ଼ ଚିନ୍ତାର ବିଷୟ। “ଏସବୁ ଆପଣଙ୍କ (ବିଜେପି ସାଂସଦମାନଙ୍କ) ଉପସ୍ଥିତିରେ ହିଁ ଘଟିଛି,” ବୋଲି ସେ ଲେଖିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଖଣି ଖନନ ଯୋଗୁଁ ଓଡ଼ିଶାର ଜନସାଧାରଣ ପ୍ରଦୂଷଣ, ବିସ୍ଥାପନ, ଓ ପରିବେଶ କ୍ଷୟକ୍ଷତି ଭୋଗୁଛନ୍ତି। ତେଣୁ ରାଜ୍ୟର ସମ୍ପଦ ଉପରେ ରାଜ୍ୟବାସୀଙ୍କ ପ୍ରଥମ ଅଧିକାର ରହିବା ଉଚିତ। ଏହି ବିଲ୍ ‘ସଶକ୍ତ ଓଡ଼ିଶା’ର ସ୍ୱପ୍ନକୁ ଆଘାତ ପହଞ୍ଚାଉଛି।
ବିଜେପି ସାଂସଦମାନଙ୍କୁ ସମ୍ବୋଧିତ କରି ନବୀନ ଲେଖିଛନ୍ତି, “ନିଜ ବିବେକର ଆହ୍ୱାନ ଶୁଣନ୍ତୁ ଏବଂ କେନ୍ଦ୍ରର ଏହି ଆଇନ ସଂଶୋଧନକୁ ବିରୋଧ କରି ଓଡ଼ିଶାର ଅଧିକାର ଫେରାଇ ଆଣିବାକୁ ସାଙ୍ଗ ହୋଇ ଲଢ଼ନ୍ତୁ। ଇତିହାସ ଆପଣମାନଙ୍କୁ ଦଳ ଆଧାରରେ ନୁହେଁ, ବରଂ ସଙ୍କଟ ସମୟରେ ଆପଣ ଓଡ଼ିଶା ପାଇଁ ଛିଡ଼ା ହୋଇଥିଲେ କି ନାହିଁ ସେହି ଆଧାରରେ ବିଚାର କରିବ।”




