ନୂଆଦିଲ୍ଲୀ: ଅଗଷ୍ଟ ମାସ ଶେଷ ହେବା ସହିତ ସେପ୍ଟେମ୍ବର ୧ରୁ ଦୈନନ୍ଦିନ ଜୀବନ ଓ ଆର୍ଥିକ କାରବାର ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହେବ। ଏହାର ପ୍ରଭାବ ଏଲପିଜି ଗ୍ରାହକ, ଆୟକରଦାତା, ବିଦେଶ ଯାତ୍ରୀ, କ୍ରେଡିଟ୍ କାର୍ଡ ବ୍ୟବହାରକାରୀ ଏବଂ ବଡ଼ ଏଫ୍ଡି କରୁଥିବା ଜମାକାରୀଙ୍କ ଉପରେ ପଡ଼ିପାରେ। ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଥିବା ୭ଟି ପ୍ରମୁଖ ପରିବର୍ତ୍ତନ ଉପରେ ନଜର ପକାନ୍ତୁ।
୧. ବୋର୍ଡିଂ ପାସ୍ରେ ଇମିଗ୍ରେସନ୍ ଷ୍ଟାମ୍ପ ଆବଶ୍ୟକ ନାହିଁ
ବିଦେଶ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ଇମିଗ୍ରେସନ୍ ପ୍ରକ୍ରିୟାରେ ପରିବର୍ତ୍ତନ ହେବ। ସେପ୍ଟେମ୍ବର ୧ରୁ ବୋର୍ଡିଂ ପାସ୍ରେ ଇମିଗ୍ରେସନ୍ ଷ୍ଟାମ୍ପ ଲଗାଇବାର ଆବଶ୍ୟକତା ରହିବ ନାହିଁ। ଯାତ୍ରୀମାନେ ମୋବାଇଲ୍ କିମ୍ବା ପ୍ରିଣ୍ଟେଡ୍ କପିରେ ଇ-ବୋର୍ଡିଂ ପାସ୍ ଦେଖାଇ ପ୍ରକ୍ରିୟା ସମ୍ପନ୍ନ କରିପାରିବେ।
୨. ଏଲପିଜି ଗ୍ରାହକଙ୍କ ପାଇଁ ଇ-କେୱାଇସି
ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଗୁରୁତ୍ୱପୂର୍ଣ୍ଣ। ଇଣ୍ଡିଆନ୍ ଅଏଲ୍, ବିପିସିଏଲ୍ ଓ ଏଚ୍ପିସିଏଲ୍ ଭଳି ତୈଳ ବିପଣନ କମ୍ପାନି ସହ ଜଡ଼ିତ ଗ୍ରାହକଙ୍କୁ ଏଲପିଜି କନେକ୍ସନ୍ ପାଇଁ ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ସମୟସୀମା ମଧ୍ୟରେ ଆଧାର ଆଧାରିତ ବାୟୋମେଟ୍ରିକ୍ ଯାଞ୍ଚ ନକଲେ ସବସିଡି କିମ୍ବା ସିଲିଣ୍ଡର ଯୋଗାଣ ପ୍ରଭାବିତ ହୋଇପାରେ।
୩. ଏଲପିଜି, ସିଏନ୍ଜି, ପିଏନ୍ଜି ଓ ଏଟିଏଫ୍ ଦରରେ ପରିବର୍ତ୍ତନ
ପ୍ରତି ମାସର ପ୍ରଥମ ଦିନ ଭଳି ସେପ୍ଟେମ୍ବର ୧ରେ ତୈଳ ବିପଣନ କମ୍ପାନିଗୁଡ଼ିକ ଏଲପିଜି ଦର ସମ୍ପର୍କରେ ନୂଆ ଘୋଷଣା କରିପାରନ୍ତି। ଏହା ସହିତ ଏଟିଏଫ୍, ସିଏନ୍ଜି ଓ ପିଏନ୍ଜି ଦରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏଟିଏଫ୍ ଦର ବଢ଼ିଲେ ଏହାର ପ୍ରଭାବ ବିମାନ ଭଡ଼ା ଉପରେ ମଧ୍ୟ ପଡ଼ିପାରେ।
୪. ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା
ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ କରୁଥିବା ଏବଂ ଅଡିଟ୍ ଆବଶ୍ୟକ ନଥିବା କିଛି କରଦାତାଙ୍କ ପାଇଁ ୨୦୨୬-୨୭ ମୂଲ୍ୟାୟନ ବର୍ଷର ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଅଗଷ୍ଟ ୩୧। ତେଣୁ ଯୋଗ୍ୟ କରଦାତାମାନେ ସମୟସୀମା ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ।
୫. କ୍ରେଡିଟ୍ କାର୍ଡ ରିୱାର୍ଡରେ ପରିବର୍ତ୍ତନ
ସେପ୍ଟେମ୍ବର ୧ରୁ ଆମେରିକାନ୍ ଏକ୍ସପ୍ରେସ୍ର ପ୍ଲାଟିନମ୍ ଟ୍ରାଭେଲ୍ କ୍ରେଡିଟ୍ କାର୍ଡରେ କିଛି ମାଇଲଷ୍ଟୋନ୍ ରିୱାର୍ଡରେ ପରିବର୍ତ୍ତନ ହେବ। ଏହା ସହ ଅନ୍ୟ କିଛି ବ୍ୟାଙ୍କ ମଧ୍ୟ ନିଜ କ୍ରେଡିଟ୍ କାର୍ଡର ନିୟମ ଓ ସର୍ତ୍ତରେ ପରିବର୍ତ୍ତନ କରିଛନ୍ତି।
୬. ଚିନି ଷ୍ଟକ୍ ଉପରେ କଟକଣା
ଚିନି ଦର ନିୟନ୍ତ୍ରଣ ପାଇଁ ବଲ୍କ ଚିନି କ୍ରେତାଙ୍କ ଉପରେ ଷ୍ଟକ୍ ସୀମା ଲାଗୁ ହେବ। ସେପ୍ଟେମ୍ବର ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି କଟକଣା ରହିବ। ମାସକୁ ୧୦ ମେଟ୍ରିକ୍ ଟନ୍ରୁ ଅଧିକ ଚିନି ବ୍ୟବହାର କରୁଥିବା ବ୍ୟବସାୟୀମାନେ ସର୍ବାଧିକ ୧୫ ଦିନର ଆବଶ୍ୟକତା ଅନୁସାରେ ଷ୍ଟକ୍ ରଖିପାରିବେ।
୭. ବଡ଼ ଏଫ୍ଡି ଉପରେ ସୁଧ ହାର ପ୍ରକାଶ
ବ୍ୟାଙ୍କର ବଡ଼ ସ୍ଥାୟୀ ଜମା ବା ବଲ୍କ ଏଫ୍ଡିରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନିୟମ ଲାଗୁ ହେବ। ୩ କୋଟି କିମ୍ବା ତା’ଠାରୁ ଅଧିକ ବଲ୍କ ଏଫ୍ଡି ଉପରେ ସୁଧ ହାର ସମ୍ପର୍କିତ ସୂଚନା ବ୍ୟାଙ୍କଗୁଡ଼ିକୁ ପ୍ରକାଶ କରିବାକୁ ପଡ଼ିବ। ଏହା ଦ୍ୱାରା ବଡ଼ ଜମାକାରୀମାନେ ସୁଧ ହାର ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ପାଇପାରିବେ।




