ତାଶକେଣ୍ଟ: ଦୁଇ ଦିନିଆ ସରକାରୀ ଗସ୍ତରେ ଉଜବେକିସ୍ତାନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଶକେଣ୍ଟରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସେଠାରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟର ଲୋକମାନେ “ମୋଦୀ ମୋଦୀ”, “ବନ୍ଦେ ମାତରମ୍” ଏବଂ “ଭାରତ ମାତା କି ଜୟ” ନାରା ଦେଇ ତାଙ୍କୁ ସ୍ୱାଗତ କରିଥିଲେ।
ଏହି ଅବସରରେ ଭାରତୀୟ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟକୁ ମନଧ୍ୟାନ ଦେଇ ଦେଖିଥିଲେ ଓ କାର୍ଯ୍ୟକ୍ରମ ଶେଷରେ ପିଲାମାନଙ୍କ ସହ କରମର୍ଦ୍ଦନ କରିଥିଲେ।
ୟାଙ୍ଗି ଉଜବେକିସ୍ତାନ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି:
ତାଶକେଣ୍ଟରେ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଉଜବେକିସ୍ତାନ ରାଷ୍ଟ୍ରପତି ଶାବକାତ୍ ମିର୍ଜିୟୋୟେଭ୍ଙ୍କ ସହ ‘ୟାଙ୍ଗି ଉଜବେକିସ୍ତାନ ସ୍ମାରକୀ’ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସ୍ମାରକୀ ଉଜବେକ୍ ଜନସାଧାରଣଙ୍କ ଆକାଂକ୍ଷା ଓ ପ୍ରଗତିର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସ (X) ରେ ପ୍ରକାଶ କରିଛନ୍ତି। ଉଭୟ ନେତା ୟାଙ୍ଗି ଉଜବେକିସ୍ତାନ ପାର୍କରେ ଉଜବେକ୍ ସଂସ୍କୃତି ଓ ଇତିହାସକୁ ପ୍ରଦର୍ଶିତ କରୁଥିବା କଳାକୃତିଗୁଡ଼ିକୁ ବୁଲି ଦେଖିଥିଲେ।
ଏହା ପୂର୍ବରୁ ବିମାନବନ୍ଦରରେ ଉଜବେକିସ୍ତାନ ରାଷ୍ଟ୍ରପତି ଶାବକାତ୍ ମିର୍ଜିୟୋୟେଭ୍ ନିଜେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉଷ୍ମ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ଏହି ସ୍ୱତନ୍ତ୍ର ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ ବନ୍ଧୁତାକୁ ଦର୍ଶାଉଛି। ଏହା ତାଙ୍କର ଚତୁର୍ଥ ଉଜବେକିସ୍ତାନ ଗସ୍ତ ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ବିକଶିତ ଭାରତ ୨୦୪୭’ ଓ ‘ଉଜବେକିସ୍ତାନ ୨୦୩୦’:
ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମିର୍ଜିୟୋୟେଭ୍ଙ୍କ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ହେବ। ଏଥିରେ ବ୍ୟବସାୟ, ନିବେଶ, ଡିଜିଟାଲ୍ ସଂଯୋଗ, ପ୍ରତିରକ୍ଷା, ଶକ୍ତି କ୍ଷେତ୍ର ସମେତ ‘ବିକଶିତ ଭାରତ ୨୦୪୭’ ଏବଂ ‘ଉଜବେକିସ୍ତାନ-୨୦୩୦’ ଲକ୍ଷ୍ୟ ହାସଲ ପାଇଁ ମିଳିତ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ।




