ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ଖରିଫ୍ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ ର ସମୟସୀମାକୁ ରାଜ୍ୟ ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପଞ୍ଜୀକରଣ ପ୍ରକ୍ରିୟା ଅଗଷ୍ଟ ୩୧ ତାରିଖରେ ଶେଷ ହେବାର ଥିଲା। ମାତ୍ର ବିଭିନ୍ନ ଅଞ୍ଚଳରେ ନେଟୱାର୍କ ସମସ୍ୟା ଓ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅନେକ ଚାଷୀ ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚାଷୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଅବଧିକୁ ଆଉ ସପ୍ତାହେ ବୃଦ୍ଧି କରିଛନ୍ତି, ଯାହା ଦ୍ୱାରା ବାକି ରହିଯାଇଥିବା ଚାଷୀମାନେ ନିଜ ନାମ ପଞ୍ଜୀକରଣ କରିପାରିବେ।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ସଫଳତାର ସହ ପଞ୍ଜୀକରଣ କରିସାରିଛନ୍ତି। ଗତବର୍ଷ ମୋଟ ୧୯.୬୭ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ, ଚଳିତ ବର୍ଷ ମଧ୍ୟ ସମାନ ସଂଖ୍ୟକ କିମ୍ବା ତା’ଠାରୁ ଅଧିକ ଚାଷୀ ପଞ୍ଜୀକୃତ ହେବେ ବୋଲି ଆଶା କରାଯାଉଛି।
କେତେକ ଗ୍ରାମାଞ୍ଚଳରେ ଅନଲାଇନ୍ ଆବେଦନ ସମୟରେ ନେଟୱାର୍କ ସମସ୍ୟା ଦେଖାଦେଇଥିବା ନେଇ ସରକାରଙ୍କ ପାଖରେ ଅଭିଯୋଗ ହୋଇଥିଲା। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବୈଷୟିକ ଟିମ୍ ସହ ଆଲୋଚନା କରାଯାଇଛି। ନେଟୱାର୍କ ଓ ସର୍ଭର ଜନିତ ସମସ୍ତ ଯାନ୍ତ୍ରିକ ତ୍ରୁଟିକୁ ଅତିଶୀଘ୍ର ସୁଧାରି ଦିଆଯିବ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି।




