ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଓ ସେମାନଙ୍କ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ଗୁପ୍ତ ଯୋଗାଯୋଗ ନେଟୱାର୍କର ପର୍ଦ୍ଦାଫାଶ କରିଛନ୍ତି ସୁରକ୍ଷା ଏଜେନ୍ସିଗୁଡ଼ିକ। ସାଧାରଣ ସୋସିଆଲ ମିଡିଆ ଓ ମେସେଜିଂ ଆପ୍ ଉପରେ ନଜରଦାରୀ ବଢ଼ିବା ପରେ ଆତଙ୍କବାଦୀମାନେ ପର୍ଣ୍ଣୋଗ୍ରାଫି ୱେବସାଇଟ୍, ଲାଇଭ୍ ଚାଟ୍ ପ୍ଲାଟଫର୍ମ ଏବଂ ଏନକ୍ରିପ୍ଟେଡ୍ ଆପ୍କୁ ଗୁପ୍ତ ଯୋଗାଯୋଗ ପାଇଁ ବ୍ୟବହାର କରୁଥିବା ଅଧିକାରୀମାନେ କହିଛନ୍ତି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସାଧାରଣ ଯୋଗାଯୋଗ ମାଧ୍ୟମ ବଦଳରେ ଅଧିକ ଗୁପ୍ତ ଉପାୟ ଆପଣାଉଛନ୍ତି। ଭିପିଏନ୍ ଜରିଆରେ ଡାଉନଲୋଡ୍ କରାଯାଉଥିବା ମୁନଚାଟ୍, କୋଟେକ୍ସ ଓ କୋନିଅନ୍ ଭଳି ଟୋର୍ ଆଧାରିତ ପ୍ଲାଟଫର୍ମ ଏବଂ ବିନା ଫୋନ୍ ନମ୍ବର କିମ୍ବା ସିମ୍ କାର୍ଡରେ ଚାଲୁଥିବା ଆପ୍ ବ୍ୟବହାର କରାଯାଉଥିବା ଜଣାପଡ଼ିଛି।
ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ାଇଛି ଏହି ଆପ୍ଗୁଡ଼ିକର ଏନକ୍ରିପ୍ସନ୍ ବ୍ୟବସ୍ଥା। ଅଧିକାରୀଙ୍କ ଅନୁସାରେ, ଏଗୁଡ଼ିକ ୨ଜି ନେଟୱାର୍କରେ ମଧ୍ୟ କାମ କରିପାରୁଛି। ‘ଆର୍ଏସ୍ଏ-୨୦୪୮’ ଏନକ୍ରିପ୍ସନ୍ ବ୍ୟବହାର ଯୋଗୁଁ ଏହା ମାଧ୍ୟମରେ ହେଉଥିବା ଯୋଗାଯୋଗର ଉତ୍ସ ଓ ତଥ୍ୟର ଗତିବିଧି ଚିହ୍ନଟ କରିବା ସୁରକ୍ଷା ଏଜେନ୍ସି ପାଇଁ କଷ୍ଟକର ହେଉଛି।
ଏହା ସହିତ ବିଦେଶୀ କମ୍ପାନୀଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଉଥିବା ଭର୍ଚୁଆଲ୍ ସିମ୍ କାର୍ଡର ବ୍ୟବହାର ମଧ୍ୟ ବଢ଼ିଥିବା ସୂଚନା ମିଳିଛି। ୨୦୧୯ ପୁଲୱାମା ଆକ୍ରମଣର ତଦନ୍ତ ସମୟରେ ଏଭଳି ଭର୍ଚୁଆଲ୍ ସିମ୍ର ବ୍ୟବହାର ସମ୍ପର୍କିତ ପ୍ରମାଣ ଏନ୍ଆଇଏକୁ ମିଳିଥିଲା ବୋଲି ଅଧିକାରୀମାନେ କହିଛନ୍ତି।
ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ଏହି ନୂଆ ଯୋଗାଯୋଗ ନେଟୱାର୍କକୁ ଚିହ୍ନଟ କରିବା ଏବଂ ଅଫ୍-ଗ୍ରିଡ୍ ଚାନେଲଗୁଡ଼ିକ ଉପରେ ନଜର ରଖିବା ପାଇଁ ସାଇବର ନଜରଦାରୀ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛନ୍ତି। ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନେଟୱାର୍କର ଡିଜିଟାଲ୍ ଯୋଗାଯୋଗକୁ ଭାଙ୍ଗିବା ଉପରେ ଏବେ ସୁରକ୍ଷା ଏଜେନ୍ସିଗୁଡ଼ିକର ଫୋକସ୍ ରହିଛି।




