କଟକ: ୨୦୨୯ ବିଧାନସଭା ନିର୍ବାଚନରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋସ ଓଡ଼ିଶା ଜନତା କଂଗ୍ରେସ (OJC) ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି ଓଜେସି ସଭାପତି ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍। ଏହି ବ୍ୟକ୍ତବ୍ୟ ପରେ କଟକ ରାଜନୀତିରେ ପୁଣି ଥରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Gen-Z ସହ ନୂଆ ଓଡ଼ିଶା ଗଢ଼ିବା ଲକ୍ଷ୍ୟ:

ଓଡ଼ିଶା ଜନତା କଂଗ୍ରେସର ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରି ମୋକିମ୍ କହିଛନ୍ତି ଯେ, ତାଙ୍କ ଦଳ ଯୁବପିଢ଼ି (Gen-Z) କୁ ନେଇ ଏକ ନୂଆ ଓଡ଼ିଶା ଗଢ଼ିବାର ସ୍ୱପ୍ନ ଦେଖୁଛି। ସୋଫିଆ ଏହି ଦଳର ଆଗାମୀ ନେତୃତ୍ୱ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ସେ କହିଛନ୍ତି, “ସୋଫିଆ ବର୍ତ୍ତମାନ କଂଗ୍ରେସରେ ଅଛନ୍ତି, ତେଣୁ ଏବେ ଓଡ଼ିଶା ଜନତା କଂଗ୍ରେସରେ ଯୋଗ ଦେଇପାରିବେ ନାହିଁ। କିନ୍ତୁ ୨୦୨୯ ନିର୍ବାଚନରେ ସେ ଓଜେସି ଟିକେଟ୍‌ରୁ ବାରବାଟୀ-କଟକ ଆସନରୁ ଲଢ଼ିବେ। ଦଳର ଆଗାମୀ କାର୍ଯ୍ୟପନ୍ଥାରେ ସେ ପ୍ରମୁଖ ନେତୃତ୍ୱ ସାଜିବେ।”

କଂଗ୍ରେସ ଉପରେ କଠୋର ଆକ୍ରମଣ:

ଏହି ସମୟରେ ମୋକିମ୍ ତାଙ୍କର ପୁରୁଣା ଦଳ କଂଗ୍ରେସକୁ ଦୃଢ଼ ସମାଲୋଚନା କରିଛନ୍ତି। କଂଗ୍ରେସ ନିଜର ଆଦର୍ଶ ଓ ଦିଗ ହରାଇ ବସିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, “ଓଡ଼ିଶାରେ କଂଗ୍ରେସ ନେତାମାନେ ଏବେ ବି ଜଣେ ଅନ୍ୟଜଣଙ୍କୁ ଗୋଡ଼ ଟାଣିବାରେ ବ୍ୟସ୍ତ। ସେମାନେ କେବଳ ନିଜ ସ୍ୱାର୍ଥ ହାସଲ କରିବାରେ ଲାଗିଛନ୍ତି। ରାଜ୍ୟରେ କୌଣସି ଦଳୀୟ କାର୍ଯ୍ୟକ୍ରମ ଚାଲୁନାହିଁ। କଂଗ୍ରେସର କୌଣସି ଭବିଷ୍ୟତ ନାହିଁ ଏବଂ କଂଗ୍ରେସ ଦଳରେ ସୋଫିଆଙ୍କର ମଧ୍ୟ କୌଣସି ଭବିଷ୍ୟତ ନାହିଁ।”

କଂଗ୍ରେସର ନିର୍ଦ୍ଧାରିତ ନୀତି ଓ ନିୟମର ଅଭାବ ଯୋଗୁଁ ତୃଣମୂଳ ସ୍ତରର କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ମୋକିମ୍ ଦାବି କରିଛନ୍ତି।