ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କାଦରାୟାଁ ନିକଟସ୍ଥ ନଦୀବନ୍ଧରେ ଅତଡ଼ା ଖସିବା ଆରମ୍ଭ ହୋଇଛି। ବନ୍ଧ ଦୁର୍ବଳ ହୋଇ ଭାଙ୍ଗିବା ଅବସ୍ଥାକୁ ଆସିଯାଇଥିବାରୁ ନଦୀକୂଳିଆ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି।

ପୂର୍ବରୁ ଆସିଥିବା ବନ୍ୟା ସମୟରେ ଏହି କାଦରାୟାଁ ନିକଟରେ ନଦୀବନ୍ଧ ଅତଡ଼ା ଖସି ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ସେହି ସମୟରେ ଜଳସମ୍ପଦ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି କେବଳ କିଛି ବାଲିବସ୍ତା ପକାଇ ଅସ୍ଥାୟୀ ଭାବେ କାମ ସାରିଦେଇଥିଲେ। କିନ୍ତୁ ବନ୍ଧର ସ୍ଥାୟୀ ମରାମତି ନହୋଇପାରିବାରୁ ଗତକାଲିର ବର୍ଷା ଓ ନଦୀର ବଦଳୁଥିବା ଜଳସ୍ତର ଯୋଗୁଁ ସେହି ବାଲିବସ୍ତାଗୁଡ଼ିକ ଭସିଯାଇଛି ଏବଂ ବନ୍ଧଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

୧୦ଟି ପଞ୍ଚାୟତକୁ ବନ୍ୟା ଭୟ:

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ନଦୀରେ ଜଳସ୍ତର ଆଉ ଅଳ୍ପ ବୃଦ୍ଧି ପାଇଲେ ଏହି ଦୁର୍ବଳ ବନ୍ଧଟି ସମ୍ପୂର୍ଣ୍ଣ ଭାଙ୍ଗିଯିବାର ଆଶଙ୍କା ରହିଛି। ଯଦି କାଦରାୟାଁ ବନ୍ଧ ଭାଙ୍ଗେ, ତେବେ ବସ୍ତା ବ୍ଲକର କାଦରାୟାଁ ସମେତ ପାଖାପାଖି ୧୦ଟି ପଞ୍ଚାୟତର ଶହ ଶହ ଗାଁ ଜଳମଗ୍ନ ହୋଇପଡ଼ିବ। ଏହାସହ ବ୍ୟାପକ ଚାଷଜମି ବୁଡ଼ିଯିବା ସହ ଲୋକଙ୍କ ସମ୍ପତ୍ତି ନଷ୍ଟ ହେବାର ଭୟ ଦେଖାଦେଇଛି।

ଆସୁଥିବା ବନ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଏହି ନଦୀବନ୍ଧର ମରାମତି କରାଯିବା ସହ ପଥର ପ୍ୟାକିଂ କରି ବନ୍ଧକୁ ସୁରକ୍ଷିତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନ୍ୟପଟେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।