ଭୁବନେଶ୍ୱର: ଆର୍ଥିକ ଠକେଇ ଓ ଚିଟ୍‌ଫଣ୍ଡ ଦୁର୍ନୀତି ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) କୁ ମିଳିଛି ବଡ଼ ସଫଳତା। ଓଡ଼ିଶାର ଜମାକାରୀଙ୍କ ନିକଟରୁ ୧୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ କରି ଦୀର୍ଘ ୨ ବର୍ଷ ହେବ ଫେରାର ଥିବା ‘DNB ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍’ର ମାଲିକ ଦେବବ୍ରତ ଦତ୍ତଙ୍କୁ ସିବିଆଇ ଗିରଫ କରିଛି। ଶୁକ୍ରବାର ପଶ୍ଚିମବଙ୍ଗର ଶିଲିଗୁଡ଼ିରୁ ତାଙ୍କୁ ଗିରଫ କରାଯାଇଛି।

୨୦୨୨ ମସିହା ଡିସେମ୍ବର ୨୬ ତାରିଖରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ଦେବବ୍ରତଙ୍କୁ ଫେରାର ଦର୍ଶାଯାଇଥିଲା। ସେ ତଦନ୍ତ ପ୍ରକ୍ରିୟାରେ କୌଣସି ସହଯୋଗ କରୁନଥିଲେ। ଏହାପରେ ୨୦୨୪ ଅଗଷ୍ଟ ୫ ତାରିଖରେ ତାଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ (NBW) ଜାରି ହୋଇଥିଲା। ଗୁପ୍ତ ସୂଚନା ଆଧାରରେ ସିବିଆଇ ଟିମ୍ ଶିଲିଗୁଡ଼ିରେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଉଥିବା ବେଳେ ଏଠାରେ ସିବିଆଇ ସ୍ୱତନ୍ତ୍ର ଆଦାଲତରେ ହାଜର କରାଯିବ।

ଅନ୍ୟ ଏକ ପୃଥକ ମାମଲାରେ, ୧୯୯୮ ମସିହାରେ ମହାରାଷ୍ଟ୍ରରେ ୯ ଲକ୍ଷ ଟଙ୍କାର ଘିଅ ଓ ମୁଗ ଆତ୍ମସାତ୍ ଘଟଣାରେ ୨୩ ବର୍ଷ ହେବ ଫେରାର ଥିବା ଅଭିଯୁକ୍ତ ରୂପ ସିଂଙ୍କୁ ସିବିଆଇ ଗତ ଅଗଷ୍ଟ ୨୧ ତାରିଖରେ ଗିରଫ କରିଛି। ମୁମ୍ବାଇ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୦୨ରେ ଏହି ମାମଲାର ତଦନ୍ତ ଭାର ସିବିଆଇ ନେଇଥିଲା।

ଏହା ପୂର୍ବରୁ ୨୨ ବର୍ଷ ଫେରାର ରହିବା ପରେ ସହ-ଅଭିଯୁକ୍ତ ଅର୍ଜୁନ ସିଂଙ୍କୁ ୨୦୨୫ ନଭେମ୍ବରରେ ଗିରଫ କରାଯାଇଥିଲା। ଏହି ଟ୍ରକ୍ ଡ୍ରାଇଭର ଓ ଅଭିଯୁକ୍ତମାନଙ୍କ ବିରୋଧରେ ୨୦୦୩ରେ ଚାର୍ଜସିଟ୍ ଦାଖଲ ହୋଇଥିଲା।