ୱାଶିଂଟନ୍: ଆମେରିକାର ଆରିଜୋନାସ୍ଥିତ ପ୍ରସିଦ୍ଧ ‘ଗ୍ରାଣ୍ଡ୍ କ୍ୟାନିୟନ୍ ଜାତୀୟ ଉଦ୍ୟାନ’ (Grand Canyon National Park) ରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ବ୍ୟାପକ ତାଣ୍ଡବ ରଚିଛି। ବ୍ରାଇଟ୍ ଆଞ୍ଜେଲ୍ କ୍ୟାନିୟନ୍ ଏବଂ ଫାଣ୍ଟମ୍ ରାଞ୍ଚ୍ ଅଞ୍ଚଳରେ ଆସିଥିବା ଏହି ବନ୍ୟାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି।
ଶନିବାର ଅପରାହ୍ନରେ ଆସିଥିବା ପ୍ରବଳ ବନ୍ୟାର ସ୍ରୋତ ଏତେ ଭୟଙ୍କର ଥିଲା ଯେ ଏହା ରାସ୍ତାରେ ଥିବା ପାଦଚଲା ପୋଲ, ବିଶାଳ ପଥର ଖଣ୍ଡ ଏବଂ ଧାତବ ନିର୍ମାଣଗୁଡ଼ିକୁ ଭସାଇ ନେଇ କୋଲୋରାଡୋ ନଦୀରେ ମିଶାଇ ଦେଇଛି। ଏହି ବନ୍ୟା ଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ଓ ରାସ୍ତାଘାଟ ସମ୍ପୂର୍ଣ୍ଣ ବଦଳି ଯାଇଛି। ନ୍ୟାସନାଲ୍ ପାର୍କ ସର୍ଭିସ୍ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନିଶ୍ଚିତ କରିଛି।
ଆରିଜୋନା ପ୍ରଶାସନ ଓ ଉଦ୍ଧାରକାରୀ ଦଳ ମିଳିତ ଭାବେ ଫାଣ୍ଟମ୍ ରାଞ୍ଚ୍ରୁ ବର୍ତ୍ତମାନ ସୁଦ୍ଧା ୬୨ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଏବେ ବି ଉଦ୍ଧାର ଅଭିଯାନ ଜାରି ରହିଛି। ନିଖୋଜ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ପାର୍କ କର୍ତ୍ତୃପକ୍ଷ ପର୍ଯ୍ୟଟକ ଓ ଚାଲିଚାଲି ଯାଉଥିବା ଟ୍ରେକରମାନଙ୍କୁ ଅନୁରୋଧ କରିଛନ୍ତି।
ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଭିଡିଓରେ ବ୍ରାଇଟ୍ ଆଞ୍ଜେଲ୍ କ୍ରିକ୍ ନଦୀ ଏକ ଭୟଙ୍କର ରୂପ ନେଇଥିବା ଦେଖାଯାଇଛି, ଯାହା ଫଳରେ ନୂଆ ନୂଆ ସ୍ରୋତ ସୃଷ୍ଟି ହୋଇ ଟ୍ରେକିଂ ରାସ୍ତାଗୁଡ଼ିକ ଧୋଇଯାଇଛି। ସୋମବାର ପର୍ଯ୍ୟନ୍ତ ଏହି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଅଧିକ ଭୂସ୍ଖଳନ, ପଥର ଖସିବା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ବାୟୁମଣ୍ଡଳ ବିଭାଗ ଚେତାବନୀ ଦେଇଛି।
ସୁରକ୍ଷା ଦୃଷ୍ଟିରୁ ବ୍ରାଇଟ୍ ଆଞ୍ଜେଲ୍ କ୍ୟାମ୍ପଗ୍ରାଉଣ୍ଡ, ଫାଣ୍ଟମ୍ ରାଞ୍ଚ୍ ଏବଂ ନୋର୍ଥ କାଇବାବ୍ ଟ୍ରେଲ୍ର କିଛି ଅଂଶକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି।




