ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଭୋଟର ତାଲିକା ସଂଶୋଧନ ପାଇଁ ସ୍ୱତନ୍ତ୍ର ପାଇଲଟ୍ ସର୍ଭେ ଆରମ୍ଭ କରିବ ରାଜ୍ୟ ନିର୍ବାଚନ ଆୟୋଗ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଏହି ସର୍ଭେ କରାଯିବ। ସେପ୍ଟେମ୍ବର ୩ରୁ ୧୧ ତାରିଖ ଯାଏ ଭୁବନେଶ୍ୱରର ୩ଟି ବିଧାନସଭା କ୍ଷେତ୍ରର ୩ଟି ୱାର୍ଡରେ ଘରକୁ ଘର ସର୍ଭେ କରାଯିବ।
ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୧୦, ଭୁବନେଶ୍ୱର-ମଧ୍ୟର ୱାର୍ଡ ନମ୍ବର ୩୫ ଏବଂ ଭୁବନେଶ୍ୱର-ଏକାମ୍ରର ୱାର୍ଡ ନମ୍ବର ୫୨ରେ ଏହି ପାଇଲଟ୍ ସର୍ଭେ ହେବ। ଏହାର ଅଭିଜ୍ଞତା ଓ ତଥ୍ୟକୁ ଆଧାର କରି ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ସର୍ଭେ କରାଯିବ।
ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ସର୍ଭେ
ରାଜ୍ୟ ନିର୍ବାଚନ ଆୟୋଗ ଅନୁଯାୟୀ, ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ମଧ୍ୟରେ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ କରାଯିବ। ଏହା ମାଧ୍ୟମରେ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନମଣ୍ଡଳୀଗୁଡ଼ିକର ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ବ୍ୟବସ୍ଥିତ କରାଯିବ।
ବର୍ତ୍ତମାନ ଅନେକ ସ୍ଥାନରେ ଗୋଟିଏ ପରିବାରର ସଦସ୍ୟଙ୍କ ନାମ ଭିନ୍ନ ଭିନ୍ନ ବୁଥ୍ରେ ରହିଥିବା ବେଳେ ଅସ୍ପଷ୍ଟ ଘର ନମ୍ବର ଭଳି ସମସ୍ୟା ମଧ୍ୟ ରହିଛି। ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରିବା ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ।
ଗୋଟିଏ ପରିବାର, ଗୋଟିଏ ବୁଥ୍ରେ ଭୋଟ
ସହରାଞ୍ଚଳର ଅନେକ ବୁଥ୍ର ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନଥିବାରୁ ଗୋଟିଏ ବୁଥ୍ରେ ଭିନ୍ନ ଭିନ୍ନ ଅଞ୍ଚଳର ଭୋଟର ରହିଛନ୍ତି। ଏପରିକି ଗୋଟିଏ ୱାର୍ଡର ବାସିନ୍ଦାଙ୍କୁ ଅନ୍ୟ ୱାର୍ଡରେ ଭୋଟ ଦେବାକୁ ପଡ଼ୁଥିବାରୁ ଅନେକ ଭୋଟର ମତଦାନ କେନ୍ଦ୍ରକୁ ଯିବାକୁ ଆଗ୍ରହ ଦେଖାଉନାହାନ୍ତି।
ନୂଆ ସର୍ଭେ ବ୍ୟବସ୍ଥାରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ସମ୍ଭବ ହେଲେ ଗୋଟିଏ ମତଦାନ କେନ୍ଦ୍ର ଅଧୀନରେ ରଖିବା ସହ ଗୋଟିଏ ୱାର୍ଡରେ ସେମାନଙ୍କ ନାମକୁ ସୁସଂଗଠିତ କରାଯିବ। ଏହା ଫଳରେ ମତଦାନ ପ୍ରକ୍ରିୟା ସହଜ ହେବା ସହ ସହରାଞ୍ଚଳରେ ଭୋଟଦାନ ହାର ବଢ଼ିବ ବୋଲି ଆଶା କରାଯାଉଛି।
ସର୍ଭେରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ) ଓ ଅନ୍ୟ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଜନସାଧାରଣଙ୍କୁ ଅନୁରୋଧ କରିଛି। ଏହି ଅଭିଯାନ ମାଧ୍ୟମରେ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ କହିଛନ୍ତି।




