ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଆରମ୍ଭରେ ଭାରତୀୟ ଅର୍ଥନୀତି ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରେକର୍ଡ ହୋଇଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ ଏହା ୬.୯ ପ୍ରତିଶତ ଥିଲା। ଏହି ସମୟରେ ନାମମାତ୍ର ଜିଡିପି ଅଭିବୃଦ୍ଧି ୧୦.୩ ପ୍ରତିଶତ ରହିଛି।
ମଧ୍ୟପ୍ରାଚ୍ୟରେ ଜାରି ସଙ୍କଟ, ଉଚ୍ଚ ଶକ୍ତି ଦର ଏବଂ ବିଶ୍ବ ବାଣିଜ୍ୟକୁ ନେଇ ଅନିଶ୍ଚିତତା ମଧ୍ୟରେ ଭାରତୀୟ ଅର୍ଥନୀତିର ଏହି ପ୍ରଦର୍ଶନକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ତେବେ ଗତ ତ୍ରୟମାସ ଅର୍ଥାତ୍ ୨୦୨୬ ଅକ୍ଟୋବର-ଡିସେମ୍ବରରେ ରେକର୍ଡ ହୋଇଥିବା ୮.୬ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଏଥର ଅଭିବୃଦ୍ଧି ହାର କମ୍ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଡିପି ଅଭିବୃଦ୍ଧିକୁ ‘ଅସାଧାରଣ ସଫଳତା’ ବୋଲି ବର୍ଣ୍ଣନା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ଏନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ବିଶ୍ବସ୍ତରୀୟ ଅନିଶ୍ଚିତତା, ତୈଳ ଦରର ଚାପ ଏବଂ ଯୋଗାଣ ଶୃଙ୍ଖଳାରେ ସମସ୍ୟା ସତ୍ତ୍ୱେ ଦେଶବାସୀଙ୍କ ସାମୂହିକ ପ୍ରୟାସ ଭାରତକୁ ଏହି ଅଭିବୃଦ୍ଧି ହାସଲ କରିବାରେ ସକ୍ଷମ କରିଛି।
ପ୍ରଥମ ତ୍ରୟମାସରେ ଦେଶର ଜିଡିପି ୮୧.୮୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। କ୍ଷେତ୍ରଭିତ୍ତିକ ପ୍ରଦର୍ଶନକୁ ଦେଖିଲେ ବିନିର୍ମାଣ କ୍ଷେତ୍ରରେ ୯.୨ ପ୍ରତିଶତ, ବିଦ୍ୟୁତ୍ ଓ ୟୁଟିଲିଟି ସେବାରେ ୮.୯ ପ୍ରତିଶତ ଏବଂ ନିର୍ମାଣ କ୍ଷେତ୍ରରେ ୭.୭ ପ୍ରତିଶତ ଅଭିବୃଦ୍ଧି ହୋଇଛି।
ଅନ୍ୟପକ୍ଷରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୬ ପ୍ରତିଶତକୁ ହ୍ରାସ ପାଇଛି। ଗତବର୍ଷ ସମାନ ସମୟରେ ଏହି କ୍ଷେତ୍ରର ଅଭିବୃଦ୍ଧି ୪.୪ ପ୍ରତିଶତ ଥିଲା। ସେହିପରି ଖଣି କ୍ଷେତ୍ରରେ ୨.୪ ପ୍ରତିଶତ ନକାରାତ୍ମକ ଅଭିବୃଦ୍ଧି ରେକର୍ଡ ହୋଇଛି। ଗତବର୍ଷ ପ୍ରଥମ ତ୍ରୟମାସରେ ଖଣି କ୍ଷେତ୍ର ୧୨.୪ ପ୍ରତିଶତ ଅଭିବୃଦ୍ଧି କରିଥିଲା।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅଭିବୃଦ୍ଧି ପାଇଁ ଏନ୍ଡିଏ ସରକାରଙ୍କ ଦ୍ବାରା ନିଆଯାଇଥିବା ଆର୍ଥିକ ସଂସ୍କାର ଏବଂ ଅର୍ଥନୀତିର ସୁପରିଚାଳନାକୁ ଶ୍ରେୟ ଦେଇଛନ୍ତି।
ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ପ୍ରଥମ ତ୍ରୟମାସରେ ମୋଟ ସ୍ଥାୟୀ ପୁଞ୍ଜି ସୃଷ୍ଟି (ଜିଏଫ୍ସିଏଫ୍) ୧୧.୯ ପ୍ରତିଶତ ବଢ଼ିଛି। ଘରୋଇ ଚୂଡ଼ାନ୍ତ ଉପଯୋଗିତା ବ୍ୟୟ (ପିଏଫ୍ସିଇ)ରେ ମଧ୍ୟ ୭.୧ ପ୍ରତିଶତ ଅଭିବୃଦ୍ଧି ହୋଇଛି।
ତେବେ ଜିଡିପି ଅଭିବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ପୱନ ଖେରା। ଦେଶ ଯଦି ଏତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ତେବେ ବେକାରୀ, ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାର ଅବନତି ଭଳି ସମସ୍ୟା କାହିଁକି ଜାରି ରହିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।




