ଡେରାଡୁନ୍: ଉତ୍ତରାଖଣ୍ଡରେ ଗତ କେତେକ ଦିନ ହେବ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ପ୍ରବଳ ବର୍ଷା ହେତୁ ରାଜ୍ୟର ପ୍ରମୁଖ ନଦୀ ଓ ପାହାଡ଼ିଆ ନାଳଗୁଡ଼ିକ ଉଫୁରୁଥିବା ବେଳେ ଭୂସ୍କଳନ ଏବଂ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବଜ୍ରପାତ ସହ ଆହୁରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ପ୍ରସିଦ୍ଧ ତୀର୍ଥସ୍ଥଳ କୈଞ୍ଚି ଧାମ ନିକଟରେ ପ୍ରବାହିତ ଶିପ୍ରା ନଦୀର କୂଳଲଙ୍ଘୀ ରୂପ ଦେଖିବାକୁ ମିଳିଛି। ସାଧାରଣ ଦିନଗୁଡ଼ିକରେ ଶାନ୍ତ ଭାବେ ପ୍ରବାହିତ ହେଉଥିବା ଏହି ନଦୀ, ସୋମବାର ରାତିରୁ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ସ୍ରୋତ ଧାରଣ କରିଛି। ତେବେ ମନ୍ଦିରର ସୁରକ୍ଷା ପ୍ରାଚୀର ଏବଂ ପୋଲ ସୁରକ୍ଷିତ ଥିବା ବେଳେ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ୍‌ ଥିଲେ ହେଁ ନୀତିକାନ୍ତି ସ୍ୱାଭାବିକ ରହିଛି। ସେହିପରି ଋଷିକେଶର ବିନ୍‌ ନଦୀ, ହଲଦ୍ୱାନୀର ଗୌଲା ନଦୀ ଏବଂ ଚାମୋଲିର ଅଳକନନ୍ଦା ଓ ପିଣ୍ଡାର ନଦୀର ଜଳସ୍ତର ବିପଜ୍ଜନକ ଭାବେ ବୃଦ୍ଧି ପାଇଛି।

ନୈନିତାଲ ଜିଲ୍ଲା ଆଲଚୌନାସ୍ଥିତ କାକରିୟା ନାଳର ବନ୍ୟାଜଳ ପାଣ୍ଡେଛୋଡ଼ ଗାଁର ଆବାସିକ ଅଞ୍ଚଳରେ ପ୍ରବେଶ କରିଛି। ପ୍ରାୟ ୨ ଡଜନ୍‌ରୁ ଅଧିକ ଘରେ ବର୍ଷା ପାଣି ପଶିଯିବାରୁ ବ୍ୟାପକ କ୍ଷତି ହୋଇଛି। ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ୨୩ଟି ପରିବାରକୁ ତୁରନ୍ତ ଘର ଖାଲି କରିବାକୁ ନୋଟିସ୍‌ ଜାରି କରାଯାଇଛି।

ଚାମୋଲି ଜିଲ୍ଲାର କର୍ଣ୍ଣପ୍ରୟାଗ ଅଞ୍ଚଳରେ ପିଣ୍ଡାର ନଦୀର ଉଚ୍ଚ ଲହଡ଼ି ଘର ଓ ହୋଟେଲଗୁଡ଼ିକର ନିକଟତର ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ବହୁ ସ୍ଥାନରେ ଭୂସ୍କଳନ ଯୋଗୁଁ ରାସ୍ତାଘାଟ ଅବରୋଧ ହୋଇଛି। ନଦୀ, ନାଳ ଓ ପାହାଡ଼ିଆ ବିପଜ୍ଜନକ ସ୍ଥାନକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଚେତାବନୀ ଦିଆଯାଇଛି।