ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଏକ ଭୟଙ୍କର ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସନ୍ତାନପ୍ରାପ୍ତିର ପ୍ରଲୋଭନ ଦେଇ ନିଃସନ୍ତାନ ଦମ୍ପତିଙ୍କୁ ଔଷଧ ନାଁରେ କୀଟନାଶକ (ବିଷ) ପିଆଇ ହତ୍ୟା କରିବା ଅଭିଯୋଗରେ ପୁଲିସ ଜଣେ ଭଣ୍ଡ ଗୁଣିଆ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଇକିଆ ଥାନା ଅନ୍ତର୍ଗତ କାଲା ନାଜୁ ଗ୍ରାମର ମିଥୁନ ଦିଗାଲ ଓରଫ୍ ଅନିଲ ପ୍ରଧାନ (୪୨) ଏବଂ ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ବ୍ରୁଡ଼ିପଡ଼ା ଗ୍ରାମର ସୀତାୟା କାହ୍ନର (୫୦)। ଅନିଲଙ୍କୁ ଚେନ୍ନାଇରୁ ଏବଂ ସୀତାୟାଙ୍କୁ ଫୁଲବାଣୀରୁ ଗିରଫ କରାଯାଇଛି।
ପୁଲିସ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଗୋଚ୍ଛାପଡ଼ା ଥାନା କଟ୍ରିଙ୍ଗିଆ ପଞ୍ଚାୟତ ନେଡ଼ିପଙ୍ଗା ଗ୍ରାମର କାହ୍ନୁ କାହ୍ନର (୩୫) ଏବଂ ତାଙ୍କ ସ୍ତ୍ରୀ ଲଳିତା କାହ୍ନର (୨୯)ଙ୍କ ବିବାହକୁ ୨୦ ବର୍ଷ ବିତିଯାଇଥିଲେ ହେଁ ସେମାନଙ୍କର କୌଣସି ସନ୍ତାନ ନଥିଲେ। ସନ୍ତାନ ଆଶାରେ ସେମାନେ ଭଣ୍ଡ ଗୁଣିଆ ଅନିଲ ପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ। ଅନିଲ ସେମାନଙ୍କୁ ପୂଜାର୍ଚ୍ଚନା ଓ ‘କଟା ପାଣି’ ନାଁରେ ଔଷଧ ଦେଇ ସନ୍ତାନ ହେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ପ୍ରଥମେ ୩୦ ହଜାର ଟଙ୍କା ଏବଂ ପରେ ପ୍ରାୟ ୧ ଲକ୍ଷ ଟଙ୍କାର ସୁନା ଗହଣା ହଡ଼ପ କରିଥିଲେ।
ଦୀର୍ଘଦିନ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ କାହ୍ନୁ ନିଜର ଟଙ୍କା ଓ ଗହଣା ଫେରସ୍ତ ମାଗିଥିଲେ। ଅନ୍ୟପଟେ, ତଦନ୍ତରୁ ଜଣାପଡ଼ିଛି ଯେ ଅନିଲଙ୍କର ଲଳିତାଙ୍କ ସହ ଅବୈଧ ସମ୍ପର୍କ ଗଢ଼ିଉଠିଥିଲା। ଲଳିତା ତାଙ୍କୁ ବିବାହ କରିବାକୁ ବାଧ୍ୟ କରିବାରୁ ଏବଂ ଟଙ୍କା ଫେରସ୍ତ ଦାବି ବଢ଼ିବାରୁ ଅନିଲ ଦମ୍ପତିଙ୍କୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲେ।
ଅଗଷ୍ଟ ୧୨ ତାରିଖରେ ଅନିଲ ଫୁଲବାଣୀରୁ କୀଟନାଶକ କିଣି ଅଗଷ୍ଟ ୨୩ରେ ଦମ୍ପତିଙ୍କୁ ଗୁଣିଗାରେଡ଼ି ଔଷଧ କହି ୨୫୦ ଏମଏଲ ବିଷାକ୍ତ ତରଳ ପଦାର୍ଥ ପିଇବାକୁ ଦେଇଥିଲେ। ଏହାକୁ ସେବନ କରିବା ପରେ ଅଗଷ୍ଟ ୨୪ରେ ଲଳିତାଙ୍କର ଏବଂ ୨୫ ତାରିଖରେ କାହ୍ନୁଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ କାହ୍ନୁ ଗୁଣିଆ ଅନିଲ ସେମାନଙ୍କୁ ଏହି ତରଳ ପଦାର୍ଥ ଦେଇଥିବା ପ୍ରକାଶ କରିଥିଲେ।
ଘଟଣା ପରେ ଅନିଲ ଚେନ୍ନାଇ ଫେରାର ହୋଇଯାଇଥିଲେ ଏବଂ ସୀତାୟା ତାଙ୍କୁ ଟଙ୍କା ଓ ଆଶ୍ରୟ ଦେଇ ସହାୟତା କରିଥିଲେ। ପୁଲିସ ଏକ ସ୍କୁଟର, ୪ଟି ମୋବାଇଲ୍ ଏବଂ ବିଷ ବୋତଲ ଜବତ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି।




