କୋଲକାତା: ୨୦୨୪ ଅଗଷ୍ଟରେ କୋଲକାତାର ପ୍ରସିଦ୍ଧ ଆର.ଜି. କର (R.G. Kar) ମେଡିକାଲ କଲେଜ ଓ ହସ୍ପିଟାଲର ଶିକ୍ଷାନବିସ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ବଡ଼ ସଫଳତା ମିଳିଛି। ପୀଡ଼ିତାଙ୍କ ଶବକୁ ଆବଶ୍ୟକୀୟ ନିୟମ ଭଙ୍ଗ କରି ତରବରିଆ ଭାବେ ଦାହ କରିବା ଏବଂ ପ୍ରମାଣ ନଷ୍ଟ ଷଡ଼ଯନ୍ତ୍ର ମାମଲାରେ ଫେରାର ଥିବା ଉତ୍ତର ୨୪ ପ୍ରଗଣା ଜିଲ୍ଲା ପାଣିହାତୀ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ସୋମନାଥ ଦେ’ଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି।

ପଶ୍ଚିମବଙ୍ଗ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବେଙ୍ଗାଲୁରୁରୁ ସୋମନାଥଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କୋଲକାତା ଆଣି ବାରାକପୁର ଜିଲ୍ଲା ଅଦାଲତରେ ହାଜର କରାଯିବ। ଅଧିକ ତଦନ୍ତ ପାଇଁ ପୋଲିସ ତାଙ୍କୁ ନିଜ ହେପାଜତକୁ ନେବାକୁ ଆବେଦନ କରିବ।

ପୀଡ଼ିତାଙ୍କ ମୃତଦେହକୁ ତରବରିଆ ଭାବେ ଶ୍ମଶାନରେ ଦାହ କରିବା ଏବଂ ଦ୍ୱିତୀୟ ଥର ବ୍ୟବଚ୍ଛେଦ ସୁଯୋଗକୁ ଏଡ଼ାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ପଶ୍ଚିମବଙ୍ଗ ପୋଲିସ ତିନିଜଣ ମୁଖ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା।

  • ନିର୍ମଳ ଘୋଷ: ପାଣିହାଟିର ପୂର୍ବତନ ତୃଣମୂଳ କଂଗ୍ରେସ (TMC) ବିଧାୟକ, ଯାହାଙ୍କୁ ଗତମାସରେ ଓଡ଼ିଶାରୁ ଗିରଫ କରାଯାଇଥିଲା।
  • ସଞ୍ଜୀବ ମୁଖାର୍ଜୀ: ପୀଡ଼ିତାଙ୍କ ପଡ଼ୋଶୀ, ଯିଏ କୋଲକାତାର ଚିନାର ପାର୍କରୁ ଗିରଫ ହୋଇଥିଲେ।
  • ସୋମନାଥ ଦେ: ପାଣିହାତୀ ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ, ଯିଏ ବେଙ୍ଗାଲୁରୁରୁ ଗିରଫ ହୋଇଛନ୍ତି।

ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ନିର୍ମଳ ଘୋଷ ଓ ସଞ୍ଜୀବ ମୁଖାର୍ଜୀ ବର୍ତ୍ତମାନ ବିଚାରବିଭାଗୀୟ ହେପାଜତରେ ଅଛନ୍ତି।

ଗତ ଅଗଷ୍ଟ ୮ ତାରିଖରେ ଆର.ଜି. କର ଘଟଣାର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶବଦାହ ଷଡ଼ଯନ୍ତ୍ରର ପୁନଃ ତଦନ୍ତ ପାଇଁ ବାରାକପୁର ପୋଲିସ କମିଶନରେଟକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୀଡ଼ିତାଙ୍କ ବାପାଙ୍କ ନୂତନ ଅଭିଯୋଗ ଆଧାରରେ ଖାରଦା ଥାନାରେ ଏକ ନୂଆ ମାମଲା ରୁଜୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ୨୦୨୪ ଅଗଷ୍ଟ ୯ ତାରିଖ ସକାଳେ କୋଲକାତାସ୍ଥିତ ଆର.ଜି. କର ମେଡିକାଲ କଲେଜର ସେମିନାର ହଲ୍‌ରୁ ଜଣେ ଶିକ୍ଷାନବିସ ମହିଳା ଡାକ୍ତରଙ୍କ ରକ୍ତଜୁଡ଼ୁବୁଡ଼ୁ ଶବ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ନିର୍ମମ ଭାବେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣା ପରେ ସରକାରୀ ନିୟମକୁ ଆଖିବୁଜି ମୃତଦେହକୁ ଶୀଘ୍ର ପାଣିହାଟି ଶ୍ମଶାନକୁ ନିଆଯାଇ ଶବଦାହ କରାଯାଇଥିଲା, ଯାହାର ସମ୍ପୂର୍ଣ୍ଣ ସଞ୍ଚାଳନ ଏହି ତିନିଜଣ କରିଥିଲେ ବୋଲି ଅଭିଯୋଗ ରହିଛି।