ପୁରୀ: ଶ୍ରୀକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଇ-ହୁଣ୍ଡି ‘ସମର୍ପଣ’କୁ ଭକ୍ତମାନଙ୍କର ଅଭୂତପୂର୍ବ ପ୍ରତିକ୍ରିୟା ମିଳିଛି। ଲଞ୍ଚ ହେବାର ମାତ୍ର ୪୫ ଦିନ ମଧ୍ୟରେ ଏହି ଡିଜିଟାଲ୍ ହୁଣ୍ଡି ମାଧ୍ୟମରେ ୫୬.୭୦ ଲକ୍ଷ ଟଙ୍କାର ଦାନରାଶି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିରରେ ଥିବା ପାରମ୍ପରିକ ହୁଣ୍ଡି ତୁଳନାରେ ଡିଜିଟାଲ୍ ମାଧ୍ୟମରେ ମହାପ୍ରଭୁଙ୍କୁ ଦାନ କରିବାକୁ ଭକ୍ତମାନେ ଅଧିକ ପସନ୍ଦ କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି।
ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ଜୁଲାଇ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ‘ସମର୍ପଣ’ ଇ-ହୁଣ୍ଡିର ଶୁଭାରମ୍ଭ କରିଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ଯେ, ଏହି ନୂତନ ବ୍ୟବସ୍ଥା ଯୋଗୁଁ ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସହଜରେ ଦାନ କରିପାରୁଛନ୍ତି ଏବଂ ତୁରନ୍ତ ତାହାର ରସିଦ୍ ମଧ୍ୟ ଡାଉନଲୋଡ୍ କରିପାରୁଛନ୍ତି। ଏହି ସୁବିଧା ହେତୁ ଭକ୍ତଙ୍କ ମଧ୍ୟରେ ଡିଜିଟାଲ୍ ଦାନ କରିବାର ଆଗ୍ରହ ବୃଦ୍ଧି ପାଉଛି।
₹୧୮୧୧ କୋଟି ଟପିଲା ଶ୍ରୀମନ୍ଦିରର ଫିକ୍ସଡ୍ ଡିପୋଜିଟ୍
ଶ୍ରୀମନ୍ଦିର ପ୍ରଶାସନ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିରର ମୋଟ ଫିକ୍ସଡ୍ ଡିପୋଜିଟ୍ ୧୮୧୧ କୋଟି ଟଙ୍କାରୁ ଅଧିକ ହୋଇଛି। ମହାପ୍ରଭୁଙ୍କ ନାମରେ ଆସୁଥିବା ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଫିକ୍ସଡ୍ ଡିପୋଜିଟ୍ରୁ ମିଳୁଥିବା ସୁଧ, ଜମି ବିକ୍ରି, ଜମି ଅଧିଗ୍ରହଣ ଏବଂ ସରକାରୀ ଅନୁଦାନରୁ ଆସିଥାଏ।
ଏହି ସମସ୍ତ ଆୟକୁ କର୍ପସ ଫଣ୍ଡ, ଫାଉଣ୍ଡେସନ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡ ଭାବେ ବିଭାଗୀକରଣ କରାଯାଇ ଜାତୀୟକରଣ ବ୍ୟାଙ୍କଗୁଡ଼ିକରେ ଜମା ରଖାଯାଏ:
- ଜାତୀୟକରଣ ବ୍ୟାଙ୍କଗୁଡ଼ିକରେ ଜମା: ₹୧୩୧୧.୦୯ କୋଟି
- ରାଜ୍ୟ ସରକାରଙ୍କ କର୍ପସ ଫଣ୍ଡ (PL Account): ₹୫୦୦ କୋଟି
- ମୋଟ ଫିକ୍ସଡ୍ ଡିପୋଜିଟ୍: ₹୧୮୧୧.୦୯ କୋଟି
- ବ୍ୟାଙ୍କ ଆକାଉଣ୍ଟରେ ଗଚ୍ଛିତ ନଗଦ (Savings/Current/Flexi): ₹୧୦୦.୭୦ କୋଟି
ଗତ ମାସରେ ଶ୍ରୀମନ୍ଦିର ପାରମ୍ପରିକ ହୁଣ୍ଡିରୁ ₹୧.୪୩ କୋଟି ଟଙ୍କା ଦାନ ମିଳିଥିଲା। ଅଗଷ୍ଟ ୨୪ ତାରିଖରେ ଗୋଟିଏ ଦିନରେ ସର୍ବାଧିକ ₹୬.୭୩ ଲକ୍ଷ ଟଙ୍କା ସଂଗୃହୀତ ହୋଇଥିଲା। ସାଧାରଣତଃ ପ୍ରତିମାସରେ ହୁଣ୍ଡିରୁ ୧ କୋଟିରୁ ଅଧିକ ଟଙ୍କା ମିଳୁଥିବା ବେଳେ ଇ-ହୁଣ୍ଡି ବ୍ୟବସ୍ଥା ଆସିବା ପରେ ଏହି ଆୟ ଆହୁରି ବୃଦ୍ଧି ପାଇଛି।




