କାଠମାଣ୍ଡୁ: ପ୍ରବଳ ବର୍ଷା ମଧ୍ୟରେ ନେପାଳରେ ବନ୍ୟା ବିପର୍ଯ୍ୟୟ ଆହୁରି ଗମ୍ଭୀର ହୋଇଛି। ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ଗୁରୁବାର ସୁଦ୍ଧା ମୃତ୍ୟୁସଂଖ୍ୟା ୧୨୫୨ରେ ପହଞ୍ଚିଛି। ପ୍ରଭାବିତ ଅଞ୍ଚଳରୁ ଲଗାତାର ମୃତଦେହ ଉଦ୍ଧାର ହେଉଥିବା ବେଳେ ପ୍ରାୟ ୪୮୭୫ ଜଣ ଏବେ ବି ନିଖୋଜ ଥିବା ଆଶଙ୍କା କରାଯାଉଛି।

ନେପାଳ ସେନାର ନେତୃତ୍ୱରେ ମିଳିତ ଉଦ୍ଧାରକାରୀ ଦଳ ନବମ ଦିନରେ ମଧ୍ୟ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରଖିଛି। ଏହି ସମୟରେ ଭୋଟେକୋଶୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆଉ ଏକ ବଡ଼ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି।

ଅନେକ ନଦୀରେ ବଢ଼ୁଛି ଜଳସ୍ତର

ଜଳବିଜ୍ଞାନ ଓ ପାଣିପାଗ ବିଭାଗର ବନ୍ୟା ପୂର୍ବାନୁମାନ ବିଭାଗର ଅଧିକାରୀ ସରସ୍ୱତୀ ବିଷ୍ଟଙ୍କ ସୂଚନା ଅନୁଯାୟୀ, ଭୋଟେକୋଶୀ ନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେଉଛି। ଏହା ଯୋଗୁଁ ଭୋଟେକୋଶୀ ଓ ତ୍ରିଶୂଳୀ ସମେତ ରସୁୱା ଓ ନୁୱାକୋଟ୍ ଜିଲ୍ଲାର ଅନ୍ୟ ଛୋଟ ନଦୀଗୁଡ଼ିକର ଜଳସ୍ତର ବଢ଼ିପାରେ।

ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଏହାସହ ତାପ୍ଲେଜୁଙ୍ଗ, ତେହ୍ରାଥୁମ, ଧାନକୁଟା, ସାଙ୍ଖୁଆସଭା, ଓଖାଲଢୁଙ୍ଗା, ଉଦୟପୁର, ଚିତୱନ, ଗୋର୍ଖା, ତାନାହୁ, ଲାମଜୁଙ୍ଗ, ମାନାଙ୍ଗ, ମୁସ୍ତାଙ୍ଗ, ମ୍ୟାଗଦୀ, କାସ୍କି, ସ୍ୟାଙ୍ଗଜା, କାଠମାଣ୍ଡୁ, ଲଳିତପୁର ଓ ଭକ୍ତପୁର ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି।

ପାର୍ବତ୍ୟ ଅଞ୍ଚଳର କାଲିକୋଟ୍, ହୁମ୍‌ଲା, ଜୁମ୍‌ଲା, ଦାଇଲେଖ୍, ଦର୍ଚୁଲା ଓ ବୈତଦୀ ଅଞ୍ଚଳରେ ମଧ୍ୟ ନଦୀଜଳ ବଢ଼ୁଥିବା ସୂଚନା ମିଳିଛି।

ଚିତୱନରୁ ସର୍ବାଧିକ ମୃତଦେହ ଉଦ୍ଧାର

ନେପାଳ ପୋଲିସର ସରକାରୀ ସୂଚନା ଅନୁସାରେ, ଚିତୱନ ଜିଲ୍ଲାରୁ ୩୫୫, ନୱାଲପରାସୀ-ପୂର୍ବରୁ ୨୧୮ ଓ ନୱାଲପରାସୀ-ପଶ୍ଚିମରୁ ୨୦୮ଟି ମୃତଦେହ ଉଦ୍ଧାର ହୋଇଛି। ଏଥିରୁ ୧୮ଟି ମୃତଦେହ ଭାରତ ସୀମାରୁ ମିଳିବା ପରେ ନେପାଳକୁ ହସ୍ତାନ୍ତର କରାଯାଇଛି।

ସେହିପରି ନୁୱାକୋଟ୍‌ରୁ ୧୭୭, ରସୁୱାରୁ ୧୨୭, ଗୋର୍ଖାରୁ ୬୯, ଧାଡିଙ୍ଗରୁ ୬୦ ଏବଂ ତାନାହୁରୁ ୩୮ଟି ମୃତଦେହ ମିଳିଛି।

ବନ୍ୟାର ଭୟାବହତାରେ ରସୁୱା ଓ ନୁୱାକୋଟ୍ ଉପତ୍ୟକାର ଭୌଗୋଳିକ ଚିତ୍ର ମଧ୍ୟ ବଦଳିଯାଇଛି। ନିଖୋଜ ଲୋକଙ୍କ ପରିବାର ଏବେ ପ୍ରତୀକାତ୍ମକ ଭାବେ କୁଶପୁତ୍ତଳିକା ଦାହ କରି ଶେଷକୃତ୍ୟ ସମ୍ପନ୍ନ କରୁଛନ୍ତି। ବୁଧବାର ପଶୁପତି ଆର୍ଯ୍ୟଘାଟରେ ଏଭଳି ଅନେକ ପ୍ରତୀକାତ୍ମକ ମୃତଦେହର ସାମୂହିକ ସଂସ୍କାର କରାଯାଇଛି।

ତିବ୍ବତରେ ମଧ୍ୟ ମୃତ୍ୟୁ, ନିଖୋଜ ନେପାଳୀ ନାଗରିକ

ଚୀନ୍ ସୀମାବର୍ତ୍ତୀ ତିବ୍ବତର ଗିରୋଙ୍ଗ କାଉଣ୍ଟିରେ ମଧ୍ୟ ବନ୍ୟାର ପ୍ରଭାବ ପଡ଼ିଛି। ଏଠାରେ ମୃତ୍ୟୁସଂଖ୍ୟା ୨୧କୁ ବଢ଼ିଥିବା ବେଳେ ବୁଧବାର ସୁଦ୍ଧା ୫୪୧ ଜଣ ନିଖୋଜ ଥିବା ସୂଚନା ମିଳିଛି। ନେପାଳ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଲୋକ ବାହାଦୁର ଛେତ୍ରୀଙ୍କ କହିବା ଅନୁଯାୟୀ, ବନ୍ୟା ପରେ ତିବ୍ବତରେ ପ୍ରାୟ ୧୦୦ ଜଣ ନେପାଳୀ ନାଗରିକ ନିଖୋଜ ଅଛନ୍ତି।

ଏହି ବିପର୍ଯ୍ୟୟକୁ ଜଳବାୟୁ ପରିବର୍ତ୍ତନ ସହ ଯୋଡ଼ି ଅନ୍ତର୍ଜାତୀୟ ସ୍ତରରେ ଦାବି ଉଠାଇବାକୁ ନେପାଳ ସରକାର ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ବାଲେନ ଶାହ ପ୍ରତିନିଧି ସଭାକୁ ସମ୍ବୋଧିତ କରି ହିମାଳୟ ଅଞ୍ଚଳର ଲୋକଙ୍କ ସୁରକ୍ଷା ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।