ନାଇରୋବି: କେନିଆରେ ଭାରତୀୟ କମ୍ପାନୀ ଟାଟା କେମିକାଲ୍ସକୁ ନେଇ ବିବାଦ ତୀବ୍ର ହୋଇଛି। ଦୀର୍ଘଦିନ ଧରି ଦେଶର ଲେକ୍ ମାଗାଡି ଅଞ୍ଚଳରେ ସୋଡା ଆଶ୍ ଉତ୍ପାଦନ କରୁଥିବା ଟାଟା କେମିକାଲ୍ସକୁ ଦେଶ ଛାଡ଼ିବାକୁ କହିଛନ୍ତି କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ। କମ୍ପାନୀ ଏଠାରୁ ଖଣିଜ ସମ୍ପଦ ନେଉଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ଶିଳ୍ପ ଓ ନିବେଶ କରିନଥିବା ରୁଟୋ ଅଭିଯୋଗ କରିଛନ୍ତି।
ଦକ୍ଷିଣ କେନିଆର କାଜିଆଡୋ କାଉଣ୍ଟି ଗସ୍ତ ସମୟରେ ରୁଟୋ କହିଥିଲେ ଯେ, ଟାଟା ପ୍ରାୟ ୧୦୦ ବର୍ଷ ଧରି ଏଠାରେ ଖଣିଜ ସମ୍ପଦ ଉତ୍ତୋଳନ ସହ ଜଡ଼ିତ ଥିଲେ ମଧ୍ୟ କାଜିଆଡୋରେ ଆବଶ୍ୟକ କାରଖାନା କିମ୍ବା ବଡ଼ ଶିଳ୍ପ ପ୍ରତିଷ୍ଠା କରିନାହିଁ। ଖଣିଜ ସମ୍ପଦକୁ ଦେଶରୁ ନେଇ ଅନ୍ୟ ସ୍ଥାନରେ ପ୍ରକ୍ରିୟାକରଣ କରାଯାଉଥିବାରୁ କେନିଆକୁ ଆଶାନୁରୂପ ଲାଭ ମିଳୁନଥିବା ତାଙ୍କ ଅଭିଯୋଗ।
ଦୁଇ ନୂଆ କମ୍ପାନୀ ଆଣିବାକୁ ଯୋଜନା
ଟାଟା କେମିକାଲ୍ସର ସ୍ଥାନରେ ନୂଆ ନିବେଶକ ଆଣିବାକୁ କେନିଆ ସରକାର ଯୋଜନା କରୁଥିବା ରୁଟୋ କହିଛନ୍ତି। ନୂଆ କମ୍ପାନୀଗୁଡ଼ିକୁ କେବଳ କଞ୍ଚା ଖଣିଜ ଉତ୍ତୋଳନ ନୁହେଁ, ଦେଶ ଭିତରେ ଏହାର ଭ୍ୟାଲୁ ଆଡିସନ୍ ଓ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।
ସରକାର ଦୁଇଟି କମ୍ପାନୀ ଆଣିବାକୁ ଚାହୁଁଛି। ଗୋଟିଏ କମ୍ପାନୀ କାଜିଆଡୋରେ ସୋଡା ଆଶ୍କୁ ବ୍ୟବହାର କରି କାଚ ଉତ୍ପାଦନ କରିବା ପାଇଁ ବଡ଼ କାରଖାନା ସ୍ଥାପନ କରିବ। ଅନ୍ୟଟି ରାସାୟନିକ ପଦାର୍ଥ ଉତ୍ପାଦନ ପାଇଁ ଶିଳ୍ପ ପ୍ରତିଷ୍ଠା କରିବ। ଏହାଦ୍ୱାରା ସ୍ଥାନୀୟ ରୋଜଗାର ଓ ଶିଳ୍ପ ବିକାଶ ବଢ଼ିବ ବୋଲି ସରକାରର ଆଶା।
ଟାଟା କେମିକାଲ୍ସର ପ୍ରତିକ୍ରିୟା
କେନିଆ ସରକାରଙ୍କ ଅଭିଯୋଗକୁ ଟାଟା କେମିକାଲ୍ସ ଖଣ୍ଡନ କରିଛି। କମ୍ପାନୀ କହିଛି ଯେ, ଏହା କେନିଆର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସିଛି ଏବଂ ସମସ୍ତ ଆବଶ୍ୟକ ନିୟମକାନୁନ ପାଳନ କରୁଛି। ସରକାର ଉଠାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ କମ୍ପାନୀ ପକ୍ଷରୁ ଆବଶ୍ୟକ ଦସ୍ତାବିଜ ଓ ତଥ୍ୟ ଦାଖଲ କରାଯାଇଛି ବୋଲି ଟାଟା କହିଛି।
କମ୍ପାନୀର କହିବା ଅନୁସାରେ, ସରକାରୀ ପ୍ରକ୍ରିୟାକୁ ସମ୍ମାନ ଦେଇ ଆଇନଗତ ଓ ନିୟାମକୀୟ ମାର୍ଗରେ ବିବାଦର ସମାଧାନ ପାଇଁ ଏହା ଆଲୋଚନା ଜାରି ରଖିବ।
ଜୁଲାଇରୁ ବନ୍ଦ ରହିଛି କାର୍ଯ୍ୟ
ଏହି ବିବାଦ ନୂଆ ନୁହେଁ। ଜୁଲାଇ ୨୮ରେ କେନିଆର ଖଣି ମନ୍ତ୍ରଣାଳୟ ଟାଟା କେମିକାଲ୍ସ ମାଗାଡିର ଖଣି କାର୍ଯ୍ୟକଳାପକୁ ସ୍ଥଗିତ କରିଥିଲା। ରୟାଲ୍ଟି ପ୍ରଦାନ ସମ୍ପର୍କିତ ଅସମାଧାନ ଏବଂ ଅନ୍ୟାନ୍ୟ ନିୟାମକୀୟ ପ୍ରସଙ୍ଗକୁ ନେଇ ସରକାର ଆପତ୍ତି ଉଠାଇଥିଲା।
ସରକାର ପକ୍ଷରୁ ସ୍ଥାନୀୟ ମୂଲ୍ୟବୃଦ୍ଧି, କେନିଆ ନାଗରିକଙ୍କ ପାଇଁ ରୋଜଗାର ଓ କୌଶଳ ବିକାଶ, ସ୍ଥାନୀୟ ସାମଗ୍ରୀ କ୍ରୟ, ପରିବେଶ ନିୟମ ପାଳନ ଏବଂ ରପ୍ତାନି ସମ୍ପର୍କିତ ରିପୋର୍ଟିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।
ସୂଚନାଯୋଗ୍ୟ, କେନିଆରେ ସୋଡା ଆଶ୍ ଉତ୍ପାଦନ ୧୯୧୧ ମସିହାରୁ ଚାଲିଆସୁଛି। ଟାଟା କେମିକାଲ୍ସ ୨୦୦୫ରେ ବ୍ରୁନର୍ ମଣ୍ଡ ଲିମିଟେଡ୍ଠାରୁ ମାଗାଡି ଅପରେସନ୍ ଅଧିଗ୍ରହଣ କରିଥିଲା।




