ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ ସମୟରେ ସିଜେପି କର୍ମୀ ନିଶୁ ଆଜାଦଙ୍କ ବାପା ସଞ୍ଜୟ ଆଜାଦଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଉତ୍ତରପ୍ରଦେଶର ବୁଲନ୍ଦଶହରରୁ ଅଟକ କରାଯାଇଛି। ଶୁକ୍ରବାର ଦିଲ୍ଲୀ ପୁଲିସ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
ଭରଦ୍ୱାଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବି କରି ସିଜେପି ପକ୍ଷରୁ ଶୁକ୍ରବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ସିଜେପି ପ୍ରତିନିଧିମାନେ ପୁଲିସ ଅଧିକାରୀଙ୍କୁ ଭେଟିବା ପରେ ୭୨ ଘଣ୍ଟା ମଧ୍ୟରେ ଭରଦ୍ୱାଜଙ୍କୁ ଗିରଫ କରାଯିବ ବୋଲି ପୁଲିସ ଆଶ୍ୱାସନ ଦେଇଥିଲା। ଏହା ପରେ ପୁଲିସ ତାଙ୍କୁ ବୁଲନ୍ଦଶହରରେ ଠାବ କରିଥିଲା।
ଆକ୍ରମଣକୁ ନେଇ ଭିନ୍ନ ଦାବି
ଘଟଣାକୁ ନେଇ ସୋସିଆଲ ମିଡିଆରେ ଭରଦ୍ୱାଜଙ୍କ ଏକ ପଡ୍କାଷ୍ଟ ସାକ୍ଷାତକାରର ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ଆକ୍ରମଣ ସମ୍ପର୍କରେ କହୁଥିବା ଦେଖାଯାଇଥିବାରୁ ବିବାଦ ତୀବ୍ର ହୋଇଥିଲା। ତେବେ ଭରଦ୍ୱାଜ ଭିଡିଓଟିକୁ ନକଲି ବୋଲି ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ୧୦ରୁ ୧୫ ଜଣ ଲୋକ ତାଙ୍କୁ ଘେରିଥିଲେ ଏବଂ ସେ ନିଜକୁ ବଞ୍ଚାଇବା ପାଇଁ ପ୍ରତିରୋଧ କରିଥିଲେ। ଏହି ସମୟରେ ତାଙ୍କ ହାତରେ ଥିବା କଡ଼ା ଯୋଗୁଁ ସଞ୍ଜୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସେ କହିଛନ୍ତି।
ପୁଲିସର ଭିନ୍ନ ତଥ୍ୟ
ଦିଲ୍ଲୀ ପୁଲିସର ନୂଆଦିଲ୍ଲୀ ଡିସିପି ସଚିନ ଶର୍ମାଙ୍କ କହିବା ଅନୁସାରେ, ଧସ୍ତାଧସ୍ତି ସମୟରେ ଜଣେ ଅଭିଯୁକ୍ତଙ୍କ ହାତରେ ଥିବା ଧାତବ କଡ଼ାରେ ସଞ୍ଜୟଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କ ଆଘାତକୁ ସାଧାରଣ ପ୍ରକୃତିର ବୋଲି ଡାକ୍ତରୀ ଯାଞ୍ଚରେ କୁହାଯାଇଥିଲା। ଏହି ଘଟଣାରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।
ପୁଲିସ ଅନୁସାରେ, ଘଟଣାସ୍ଥଳରୁ ସୁରଜ କୁମାର ଓ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ତଦନ୍ତ ଅନୁଯାୟୀ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଉଥିବା ପୁଲିସ କହିଛି।
କଠୋର ଧାରା ଲଗାଇବାକୁ ଦାବି
ଅନ୍ୟପକ୍ଷରେ, ସିଜେପି ପକ୍ଷରୁ ମାମଲାରେ ହତ୍ୟା ଉଦ୍ୟମ ଧାରା ଏବଂ ଏସ୍ସି/ଏସ୍ଟି ଆଇନ ଅନୁଯାୟୀ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଦିଲ୍ଲୀ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ଧାରା ୩୦୭ ଯୋଡ଼ିବାକୁ ଦାବି ହୋଇଛି। ସାଂସଦ ପପ୍ପୁ ଯାଦବ ମଧ୍ୟ ସିଜେପି ସଦସ୍ୟଙ୍କ ସହ ଥାନା ସମ୍ମୁଖରେ ଉପସ୍ଥିତ ରହି ନିରପେକ୍ଷ ତଦନ୍ତ ଦାବି କରିଥିଲେ।
ସଞ୍ଜୟ ଆଜାଦଙ୍କ ଅଭିଯୋଗ ଅନୁସାରେ, ‘ଜୟ ଭୀମ୍’ ସ୍ଲୋଗାନକୁ ନେଇ କିଛି ଲୋକଙ୍କ ଆପତ୍ତି ଥିଲା ଏବଂ ଏହି କାରଣରୁ ଆନ୍ଦୋଳନ ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା।




