ନୂଆଦିଲ୍ଲୀ/ଲେହ: ସିନ୍ଧୁ ନଦୀର ଜଳକୁ ନେଇ ଭାରତ ଏକ ବଡ଼ ଏବଂ ରଣନୈତିକ ପଦକ୍ଷେପ ଗ୍ରହଣ କରିଛି। ଲଦାଖର ଚାଷୀମାନଙ୍କ ଦୀର୍ଘଦିନର ଜଳ ସମସ୍ୟା ଦୂର କରିବା ଏବଂ ସୀମାନ୍ତ ଅଞ୍ଚଳରେ ନଦୀ ଜଳର ଉପଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟରେ ଭାରତ ପ୍ରଥମଥର ପାଇଁ ଏକ ଅଭିନବ ‘ରକ୍ ଚେକ୍ ଡ୍ୟାମ୍’ ନିର୍ମାଣ କରିଛି। ଲେହର ଉପଶି ଅଞ୍ଚଳରେ ସିନ୍ଧୁ ନଦୀ ଉପରେ ଏହି ଡ୍ୟାମ୍ ନିର୍ମାଣ କରାଯାଇଛି।
ଏହି ପ୍ରକଳ୍ପର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହାକୁ ତିଆରି କରିବାରେ କୌଣସି ପ୍ରକାରର ସିମେଣ୍ଟ ବା କଂକ୍ରିଟ୍ ବ୍ୟବହାର କରାଯାଇନାହିଁ। କେବଳ ପ୍ରାକୃତିକ ଓ ବଡ଼ ବଡ଼ ପଥର (ବୋଲ୍ଡର) ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଛି, ଯହା ପରିବେଶ ଅନୁକୂଳ ହେବା ସହ ଅତ୍ୟନ୍ତ ମଜବୁତ ମଧ୍ୟ ଅଟେ।
ଡ୍ୟାମ୍ ନିର୍ମାଣ ହେବା ପରେ ସେହି ଅଞ୍ଚଳରେ ନଦୀର ଜଳସ୍ତର ପ୍ରାୟ ୧୦ ଫୁଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହାଦ୍ୱାରା ଦୀର୍ଘଦିନ ଧରି ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଶୁଖିଲା ଚାଷଜମିଗୁଡ଼ିକୁ ସହଜରେ ଜଳସେଚନ ପାଇଁ ପାଣି ମିଳିପାରିବ।
ସାଧାରଣତଃ ବସନ୍ତ ଋତୁରେ ଚାଷ କାର୍ଯ୍ୟ ଆରମ୍ଭ ହେବା ସମୟରେ ଏଠାକାର କୃଷକମାନେ ପ୍ରବଳ ଜଳ ସଙ୍କଟ ଦେଇ ଗତି କରିଥାଆନ୍ତି। ଗଭୀର ଗର୍ଜ ମଧ୍ୟରେ ସିନ୍ଧୁ ନଦୀର ଜଳସ୍ତର ଅତ୍ୟନ୍ତ ତଳେ ରହୁଥିବାରୁ ପମ୍ପ ସାହାଯ୍ୟରେ ଜଳ ଉଠାଇବା ମଧ୍ୟ ସମ୍ଭବ ହେଉନଥିଲା। ଫଳରେ ଚାଷୀଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଥିଲା।
ନୂତନ ଭାବେ ନିର୍ମିତ ଏହି ରକ୍ ଚେକ୍ ଡ୍ୟାମ୍ରେ ପ୍ରାୟ ୪ କୋଟି ଲିଟର ଜଳ ସଂରକ୍ଷଣ କରାଯାଇପାରିବ। ଏହି ସଂରକ୍ଷିତ ଜଳକୁ ‘ଇଗୁ-ଫେ’ ଜଳସେଚନ କେନାଲ୍ ମାଧ୍ୟମରେ ଆଖପାଖର ଶୁଖିଲା ଗାଁଗୁଡ଼ିକର ଚାଷଜମିକୁ ଯୋଗାଇଦିଆଯିବ।
ଏହି ପ୍ରକଳ୍ପ କେବଳ କୃଷକଙ୍କ ପାଇଁ ଆଶ୍ୱସ୍ତି ଆଣିନାହିଁ, ବରଂ ଏହାର ରହିଛି ବଡ଼ଧରଣର ରଣନୈତିକ ଗୁରୁତ୍ୱ ମଧ୍ୟ। ସିନ୍ଧୁ ଜଳ ଚୁକ୍ତିକୁ ନେଇ ବିଭିନ୍ନ ଆଲୋଚନା ଚାଲିଥିବାବେଳେ, ସୀମାନ୍ତ ଅଞ୍ଚଳରେ ନଦୀ ଜଳର ଉପଯୋଗ ପାଇଁ ଭାରତର ଏଭଳି ଭିତ୍ତିଭୂମି ନିର୍ମାଣ ଏକ ବଡ଼ ସଙ୍କେତ ଦେଉଛି।
ଭାରତ ସରକାରଙ୍କ ଏହି ସଫଳତା ପରେ ଲଦାଖରେ ଆଗକୁ ଏଭଳି ଆହୁରି ଅନେକ ଚେକ୍ ଡ୍ୟାମ୍ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଅଞ୍ଚଳରେ ଜଳ ନିରାପତ୍ତା ଓ ଜଳସେଚନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମଜବୁତ କରିବା ପାଇଁ ଲଦାଖ ପ୍ରଶାସନ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟକୁ ମୋଟ ୩୬ଟି ଚେକ୍ ଡ୍ୟାମ୍ ପ୍ରକଳ୍ପର ପ୍ରସ୍ତାବ ପଠାଇଛି।
ଏହି ପ୍ରସ୍ତାବ ଅନୁଯାୟୀ, ଲେହ ଅଞ୍ଚଳରେ ୭ଟି ହିମାଳୟନ୍ ରକ୍ ଚେକ୍ ଡ୍ୟାମ୍ ଏବଂ କାର୍ଗିଲ୍ ଅଞ୍ଚଳରେ ୨୯ଟି ଚେକ୍ ଡ୍ୟାମ୍ ବା ୱିଅର୍ ନିର୍ମାଣ କରାଯିବ। ଏହି ସମସ୍ତ ପ୍ରକଳ୍ପ ପାଇଁ ଆନୁମାନିକ ୫୬ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ଅଟକଳ କରାଯାଇଛି।




