ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ଦୁର୍ଗାପୁର ପାହାଡ଼ ଉପରେ ବନ ବିଭାଗ ପକ୍ଷରୁ ଶନିବାର ଏକ ବଡ଼ଧରଣର ଉଚ୍ଛେଦ ଅଭିଯାନ ଚଲାଯାଇଛି। ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରି ନିର୍ମାଣ କରାଯାଇଥିବା ନିଲମ୍ବିତ ବିଜେପି ଯୁବ ନେତା ପ୍ରକାଶ ପାସୱାନଙ୍କ କଥିତ କାର୍ଯ୍ୟାଳୟକୁ ବନ ବିଭାଗ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି।
ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧିକାରୀ ଏବଂ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁର୍ଗାପୁର ପାହାଡ଼ ଉପରେ ୦.୦୧ ଡେସିମିଲ ଜମି ବ୍ୟବହାର ପାଇଁ ଅନୁମତି ଦିଆଯାଇଥିବା ବେଳେ ସେଠାରେ ୦.୦୧୫ ଡେସିମିଲ ଜମି ଜବରଦଖଲ କରି ବେଆଇନ ନିର୍ମାଣ କରାଯାଇଥିଲା। ଏହି ସମ୍ପର୍କରେ ପୂର୍ବରୁ ନୋଟିସ୍ ଜାରି କରାଯାଇ ଅଗଷ୍ଟ ୩୧ ସୁଦ୍ଧା ଜବାବ ମଗାଯାଇଥିଲା। ମାତ୍ର କୌଣସି ଜବାବ ନମିଳିବାରୁ ବନ ବିଭାଗ ଏହାକୁ ସଂରକ୍ଷିତ ଜଙ୍ଗଲରେ ବେଆଇନ ଜବରଦଖଲ ଦର୍ଶାଇ ଭାଙ୍ଗି ଦେଇଛି। ଉଚ୍ଛେଦ ସମୟରେ ସେଠାରୁ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ସାମଗ୍ରୀ ଜବତ କରାଯାଇଛି।
ସୂଚନାଯୋଗ୍ୟ, ସର୍କିଟ୍ ହାଉସରେ ଅପରାଧୀଙ୍କୁ ଆଶ୍ରୟ ଦେବା ଏବଂ ମାରଣାସ୍ତ୍ର ମାମଲାରେ ଗତ ଅଗଷ୍ଟ ୨୭ ତାରିଖରେ ବିହାରରୁ ପ୍ରକାଶ ପାସୱାନଙ୍କୁ ଗିରଫ କରାଯାଇଥିଲା। ସେ ଏବେ ଜେଲ୍ରେ ଅଛନ୍ତି। ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ତାଙ୍କର ଅନ୍ୟ ଏକ କାର୍ଯ୍ୟାଳୟକୁ ମଧ୍ୟ ସିଲ୍ କରାଯାଇଥିଲା।




