କଟକ: ଶିକ୍ଷକମାନଙ୍କ ମହାନ ଅବଦାନକୁ ସମ୍ମାନ ଜଣାଇବାର ପବିତ୍ର ଅବସର ‘ଗୁରୁଦିବସ’ରେ ଛାତ୍ରଛାତ୍ରୀଙ୍କ ଗହଣରେ ସାମିଲ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଟକସ୍ଥିତ ଐତିହାସିକ ବୋର୍ଡ ହାଇସ୍କୁଲ ପରିସରରେ ଆୟୋଜିତ ‘ଗୁରୁଦିବସ ସମାରୋହ-୨୦୨୬’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କୋମଳମତି ଛାତ୍ରଛାତ୍ରୀଙ୍କ ସହ ବେଶ୍ କିଛି ସମୟ ବିତାଇବା ସହ ସେମାନଙ୍କ ସହ ସିଧାସଳଖ ଭାବବିନିମୟ କରିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେବଳ ମଞ୍ଚରେ ସୀମିତ ନରହି କୋମଳମତି ଶିଶୁମାନଙ୍କ ନିକଟକୁ ଯାଇ ଆଲୋଚନା କରିଥିଲେ। ସେ ସିଧାସଳଖ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ପାଠପଢ଼ା, ସ୍କୁଲ୍ ପରିବେଶ, ଆକାଂକ୍ଷା ଏବଂ ନିଜ ନିଜ ଗୁରୁଜନଙ୍କ ପ୍ରତି ଥିବା ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ରୋଚକ ପ୍ରଶ୍ନ ପଚାରିଥିଲେ ଏବଂ ସେମାନଙ୍କ ଉତ୍ତରକୁ ଧୈର୍ଯ୍ୟର ସହ ଶୁଣି ସେମାନଙ୍କୁ ଉତ୍ସାହିତ କରିଥିଲେ।

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିକଟରେ ପାଇ ଏବଂ ତାଙ୍କ ସହ ସିଧାସଳଖ କଥାବାର୍ତ୍ତା ହେବାର ସୁଯୋଗ ପାଇ ବୋର୍ଡ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦିତ ଓ ଉତ୍ସାହିତ ହୋଇପଡ଼ିଥିଲେ। ଗୁରୁଦିବସ ଅବସରରେ ଆୟୋଜିତ ଏହି ସମାରୋହର ମୁଖ୍ୟ ଆକର୍ଷଣ ପାଲଟିଥିଲା ମୁଖ୍ୟମନ୍ତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଅନୌପଚାରିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା।

ମୁଖ୍ୟମନ୍ତ୍ରୀଙ୍କ ଏହି ସହଜ ଓ ସରଳ ଶୈଳୀ ଯୋଗୁଁ ସମଗ୍ର ସମାରୋହ ପରିସର ଏକ ମନୋରମ, ଆନନ୍ଦମୟ ଏବଂ ଆତ୍ମୀୟତାପୂର୍ଣ୍ଣ ପରିବେଶରେ ପରିଣତ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ଗ୍ରହଣ କରିବା ସହ ଗୁରୁଜନଙ୍କୁ ଆଦର ଓ ସମ୍ମାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।