ରାୟପୁର/ଜଗଦଲପୁର: ଛତିଶଗଡ଼ର ବହୁଚର୍ଚ୍ଚିତ ଝୀରମ୍ ଘାଟି ନକ୍ସଲ ଆକ୍ରମଣ ମାମଲାରେ ୧୩ ବର୍ଷ ପରେ ବଡ଼ ରାୟ ଆସିଛି। ଜଗଦଲପୁରସ୍ଥିତ ସ୍ୱତନ୍ତ୍ର ଏନଆଇଏ କୋର୍ଟ ମାମଲାରେ ଅଭିଯୁକ୍ତ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଦୋଷୀଙ୍କୁ କେଉଁ ଦଣ୍ଡ ଦିଆଯିବ, ସେନେଇ ଆସନ୍ତା ସେପ୍ଟେମ୍ବର ୧୬ରେ କୋର୍ଟ ରାୟ ଶୁଣାଇବେ।
୨୦୧୩ରେ ଘଟିଥିଲା ଭୟଙ୍କର ଆକ୍ରମଣ
୨୦୧୩ ମେ’ ୨୫ ତାରିଖରେ ବସ୍ତର ଜିଲ୍ଲାର ଝୀରମ୍ ଘାଟିରେ କଂଗ୍ରେସର ‘ପରିବର୍ତ୍ତନ ଯାତ୍ରା’ ଉପରେ ନକ୍ସଲମାନେ ବଡ଼ ଧରଣର ଆକ୍ରମଣ କରିଥିଲେ। କଂଗ୍ରେସ ନେତାମାନଙ୍କ କନଭଏକୁ ଟାର୍ଗେଟ୍ କରି ନକ୍ସଲମାନେ ଗୁଳିମାଡ଼ ସହ ବିସ୍ଫୋରଣ କରିଥିଲେ।
ଏହି ଆକ୍ରମଣରେ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ତତ୍କାଳୀନ ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ନନ୍ଦକୁମାର ପଟେଲ, ତାଙ୍କ ପୁଅ ଦିନେଶ ପଟେଲ, ପୂର୍ବତନ ବିରୋଧୀ ଦଳ ନେତା ମହେନ୍ଦ୍ର କର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଲା ଏବଂ ପୂର୍ବତନ ବିଧାୟକ ଉଦୟ ମୁଦଲିୟାରଙ୍କ ସମେତ ସୁରକ୍ଷାକର୍ମୀ ଥିଲେ।
NIA ହାତକୁ ଯାଇଥିଲା ତଦନ୍ତ
ଘଟଣାର ଗୁରୁତ୍ୱକୁ ଦେଖି କେନ୍ଦ୍ର ସରକାର ମାମଲାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା (NIA)କୁ ଦେଇଥିଲେ। ଦୀର୍ଘ ୧୩ ବର୍ଷ ଧରି ମାମଲାର ଶୁଣାଣି ଚାଲିଥିଲା।
ଏହି ସମୟ ମଧ୍ୟରେ ୨୯୪ରୁ ଅଧିକ ଥର ଶୁଣାଣି ହୋଇଥିବା ବେଳେ NIA ପକ୍ଷରୁ ଉପସ୍ଥାପିତ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସେପ୍ଟେମ୍ବର ୧୬ରେ ଦଣ୍ଡାଦେଶ
କୋର୍ଟଙ୍କ ରାୟ ପରେ ଏବେ ମାମଲାରେ ଦଣ୍ଡାଦେଶକୁ ଅପେକ୍ଷା କରାଯାଉଛି। ସେପ୍ଟେମ୍ବର ୧୬ରେ ଦୋଷୀ ସାବ୍ୟସ୍ତ ୧୦ ଜଣଙ୍କ ବିରୋଧରେ କେଉଁ ଦଣ୍ଡ ଲାଗୁ ହେବ, ସେନେଇ ସ୍ୱତନ୍ତ୍ର NIA କୋର୍ଟ ନିଷ୍ପତ୍ତି ନେବେ।




