ଯାଜପୁର: ଜିଲ୍ଲାର କାଳିଙ୍ଗନଗର ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ଆଘାତଦାୟକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଅସୁସ୍ଥ ସ୍ୱାମୀଙ୍କ ସହ ଦେଖା କରାଇଦେବାର ପ୍ରଲୋଭନ ଦେଇ ଜଣେ ମହିଳାଙ୍କୁ ଚଣ୍ଡିଖୋଲ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କାଳିଙ୍ଗନଗର ପୋଲିସ ଶନିବାର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଗିରଫ ଅଭିଯୋଗକାରୀମାନେ ହେଲେ ବଡ଼ଚଣା ଅଞ୍ଚଳର ରାମଚନ୍ଦ୍ର ସାହୁ ଓରଫ କାହ୍ନା ଏବଂ ଜେନାପୁର ଅଞ୍ଚଳର ଛବିନ୍ଦ୍ର ତରାଇ।

ପୋଲିସର ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ତାରିଖରେ ଏହି ଭୟାନକ ଘଟଣା ଘଟିଥିଲା। ମହିଳାଜଣକ ନିଜ ଅସୁସ୍ଥ ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଥିବା ବେଳେ ଡୁବୁରୀ ଛକ ନିକଟରେ ଏହି ଦୁଇ ଅଭିଯୁକ୍ତ ତାଙ୍କୁ ଭୁଲାଭଟକା କରିଥିଲେ। ସ୍ୱାମୀଙ୍କ ପାଖକୁ ନେଇଯିବା ବାହାନାରେ ସେମାନେ ମହିଳାଙ୍କୁ ବିଶ୍ୱାସକୁ ନେଇ ଚଣ୍ଡିଖୋଲ ଆଡ଼କୁ ନେଇଯାଇଥିଲେ।

ତେବେ ସ୍ୱାମୀଙ୍କ ନିକଟକୁ ନନେଇ ଅଭିଯୁକ୍ତମାନେ ବାଇକରେ ମହିଳାଙ୍କୁ ଏକ ସୁନସାନ ଓ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ। ସେଠାରେ ଦୁଇଜଣଯାକ ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ।

ଏହି ବର୍ବରକାଣ୍ଡ ପରେ ଭୟଭୀତ ଓ ମାନସିକ ଆଘାତପ୍ରାପ୍ତ ମହିଳାଜଣକ ପରଦିନ ନିଜ ଆତ୍ମୀୟସ୍ୱଜନଙ୍କ ସହ ଯୋଗାଯୋଗ କରିଥିଲେ। ପରେ ସେ କାଳିଙ୍ଗନଗର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସର ଏକ ବିଶେଷ ଟିମ୍ ଚଣ୍ଡିଖୋଲ ଅଞ୍ଚଳରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ଜେରା ସମୟରେ ଦୁଇ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିବା ପୋଲିସ ପ୍ରକାଶ କରିଛି। ଅପରାଧରେ ବ୍ୟବହୃତ ହୋଇଥିବା ମୋଟରସାଇକେଲ ଏବଂ ମୋବାଇଲ୍ ଫୋନ୍‌କୁ ପୋଲିସ ଜବତ କରିଛି। ଅଭିଯୁକ୍ତମାନଙ୍କର ଡାକ୍ତରୀ ମାଇନା ପରେ ସେମାନଙ୍କୁ ଅଦାଲତରେ ହାଜର କରାଯାଇଛି, ଅପରପକ୍ଷେ ପୀଡ଼ିତାଙ୍କୁ ଆବଶ୍ୟକୀୟ ଡାକ୍ତରୀ ସେବା ଓ ସହାୟତା ଯୋଗାଇ ଦିଆଯାଉଛି।