ଭୁବନେଶ୍ୱର: ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ନୂଆ ଗତି ଦେବା ଲକ୍ଷ୍ୟରେ ପ୍ରସ୍ତାବିତ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥିକ ଅଞ୍ଚଳ (BKPPER) ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି। ଶନିବାର ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ବସିଥିଲା।

ବୈଠକରେ ପ୍ରକଳ୍ପ ଅଧୀନରେ ଚିହ୍ନଟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି, ଭିତ୍ତିଭୂମି ବିକାଶ, ନିବେଶ ଓ ନିଯୁକ୍ତି ସୃଷ୍ଟି ସହ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ନେଇ ଆଲୋଚନା ହୋଇଥିଲା।

ଓଡ଼ିଶାର ବିକାଶର ‘ଗ୍ରୋଥ୍‌ ଇଞ୍ଜିନ୍‌’

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ BKPPER ପ୍ରକଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରି ଏହା ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ ‘ଗ୍ରୋଥ୍‌ ଇଞ୍ଜିନ୍‌’ ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ। ଭିଜନ୍‌ ୨୦୩୬ ଓ ୨୦୪୭ର ଲକ୍ଷ୍ୟ ପୂରଣରେ ମଧ୍ୟ ଏହି ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏକ ସମନ୍ୱିତ ଆଞ୍ଚଳିକ ବିକାଶ ଦୃଷ୍ଟିକୋଣ ନେଇ ଭିତ୍ତିଭୂମି ସୁଦୃଢ଼ କରିବା, ନିବେଶ ଆକୃଷ୍ଟ କରିବା, ନିଯୁକ୍ତି ସୁଯୋଗ ବଢ଼ାଇବା ଏବଂ ଆର୍ଥିକ ଗତିଶୀଳତା ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ।

PM ଗତି ଶକ୍ତି ପୋର୍ଟାଲରେ ହେବ ପ୍ରକଳ୍ପ ମ୍ୟାପିଂ

ବୈଠକରେ BKPPER ଅଧୀନରେ ଚିହ୍ନଟ ପ୍ରକଳ୍ପଗୁଡ଼ିକର ବର୍ତ୍ତମାନ ଅଗ୍ରଗତି ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ସମୀକ୍ଷା ହୋଇଥିଲା। ଏଥିସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ PM ଗତି ଶକ୍ତି ପୋର୍ଟାଲରେ ପ୍ରକଳ୍ପଗୁଡ଼ିକର ମ୍ୟାପିଂ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ବିକାଶ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

୪ ଜିଲ୍ଲାର ୧୯ ସହରାଞ୍ଚଳକୁ ନେଇ ଆର୍ଥିକ ଅଞ୍ଚଳ

BKPPERରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର—ଏହି ୪ଟି ଜିଲ୍ଲା ସହ ଏହା ଅଧୀନରେ ଥିବା ୧୯ଟି ସହରାଞ୍ଚଳକୁ ସାମିଲ କରାଯାଇଛି। ଏହି ଅଞ୍ଚଳକୁ ସମାବେଶୀ, ବାସଯୋଗ୍ୟ ଓ ସ୍ଥାୟୀ ଆର୍ଥିକ ଅଞ୍ଚଳ ଭାବେ ବିକଶିତ କରିବା ସରକାରଙ୍କ ଲକ୍ଷ୍ୟ।

ପ୍ରକଳ୍ପ ମାଧ୍ୟମରେ ୪୦ ଲକ୍ଷରୁ ଅଧିକ ଅଣ-କୃଷି ନିଯୁକ୍ତି ସୃଷ୍ଟି ଏବଂ ୪୦୦ ବିଲିୟନ୍‌ ଡଲାରରୁ ଅଧିକ କର୍ପୋରେଟ୍‌ ନିବେଶ ଆଣିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏସିଆନ୍‌ ଡେଭେଲପମେଣ୍ଟ ବ୍ୟାଙ୍କକୁ ଅର୍ଥ ଯୋଗାଣ ସହଯୋଗୀ ଭାବେ ପ୍ରସ୍ତାବିତ କରାଯାଇଛି।

ସମନ୍ୱିତ ଯୋଜନା ଓ ଦ୍ରୁତ କାର୍ଯ୍ୟାନ୍ୱୟନ ମାଧ୍ୟମରେ BKPPERକୁ ଓଡ଼ିଶାର ଆଗାମୀ ଆର୍ଥିକ ବିକାଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।