କୋଲକାତା: ତୃଣମୂଳ କଂଗ୍ରେସ (TMC) ର କୃଷ୍ଣନଗର ସାଂସଦ ମହୁଆ ମୋଇତ୍ରାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କୋର୍ଟ ପକ୍ଷରୁ ମହୁଆଙ୍କ ବିରୋଧରେ ଜାରି ହୋଇଥିବା ଆରେଷ୍ଟ ୱାରେଣ୍ଟକୁ ସୋମବାର କଲିକତା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।
ବିଚାରପତି ଦେବାଂଶୁ ବସାକଙ୍କ ଅଧ୍ୟକ୍ଷତାରେ ଗଠିତ ଡିଭିଜନ ବେଞ୍ଚ ଏହି ଆରେଷ୍ଟ ୱାରେଣ୍ଟକୁ ରଦ୍ଦ କରିବା ସହ ମାମଲାଟିକୁ କୃଷ୍ଣନଗର ଜିଲ୍ଲା କୋର୍ଟରୁ ଉତ୍ତର ୨୪ ପରଗଣା ଜିଲ୍ଲା ବିଧାନନଗର ସ୍ଥିତ ସ୍ୱତନ୍ତ୍ର MP-MLA କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହାସହ ଏହି ମାମଲାରେ କୃଷ୍ଣନଗର କୋର୍ଟ ପକ୍ଷରୁ ଦିଆଯାଇଥିବା ଅନ୍ୟ ସମସ୍ତ ନିର୍ଦ୍ଦେଶକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି।
ଦୁଇଥରର ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଭାରତୀୟ ସେନା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାବ୍ୟତୀତ ତୁଳସୀ ମାଳି, ବୁର୍କା ଓ ହିଜାବ ପିନ୍ଧୁଥିବା ମହିଳାଙ୍କୁ ନେଇ ସେ ଦେଇଥିବା ମନ୍ତବ୍ୟକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାରେ କୃଷ୍ଣନଗରର ଜଣେ ସ୍ଥାନୀୟ ବାସିନ୍ଦା ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଓ ଭାରତୀୟ ନାୟିକ ସଂହିତା (BNS) ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲେ।
ମହୁଆଙ୍କ ବିରୋଧରେ ମହିଳାଙ୍କ ସମ୍ମାନହାନି କରିବା, ବିଭିନ୍ନ ଧାର୍ମିକ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି କରିବା, ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଏବଂ ଧମକାଇବା ଭଳି ସଂଗୀନ ଅଭିଯୋଗ ଆଣି କୃଷ୍ଣନଗର କୋର୍ଟ ସମନ୍ ଜାରି କରିଥିଲେ। ହେଲେ ସେ କୋର୍ଟରେ ହାଜର ନହେବାରୁ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା।
ଏହାକୁ ଚ୍ୟାଲେଞ୍ଜ କରି ମହୁଆ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ପୂର୍ବ ଶୁଣାଣିରେ ଏହି ୱାରେଣ୍ଟ ଉପରେ ଅନ୍ତରୀଣ ରହସ୍ୟାଦେଶ ଜାରି କରିଥିଲେ। ସୋମବାର ପୁନର୍ବାର ଶୁଣାଣି ସମୟରେ ମହୁଆଙ୍କ ଓକିଲ ଆର୍କ ନାଗ ଯୁକ୍ତି ଦର୍ଶାଇଥିଲେ ଯେ, ଜଣେ ସାଂସଦଙ୍କ ବିରୋଧରେ ମାମଲା ଶୁଣାଣି କରିବାର ଅଧିକାର କୃଷ୍ଣନଗର ଜିଲ୍ଲା କୋର୍ଟର ନାହିଁ, ଏହା କେବଳ MP-MLA କୋର୍ଟରେ ଶୁଣାଣି ହୋଇପାରିବ। ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ୱାରେଣ୍ଟ ରଦ୍ଦ କରିବା ସହ ମାମଲା ସ୍ଥାନାନ୍ତର କରିଛନ୍ତି।




