ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଦଶମ ଶ୍ରେଣୀର ପାଠ୍ୟକ୍ରମ ବଦଳିବା ସହ ଦ୍ୱାଦଶ ଶ୍ରେଣୀ ପାଇଁ ମଧ୍ୟ ନୂଆ ପାଠ୍ୟକ୍ରମ ପ୍ରସ୍ତୁତି ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୁ ନିର୍ଦ୍ଦେଶ ଦିଆଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଏବେ ଯୁକ୍ତ ଦୁଇ ସ୍ତରରେ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷା ଓଡ଼ିଆରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିବାର ସୁଯୋଗ ପାଇବେ। ଏହାଦ୍ୱାରା ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ଗ୍ରହଣ କରିବା ସହଜ ହେବ। ଏହାସହିତ ଆଗାମୀ ଦିନରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପୃଥକ୍ ବୋର୍ଡ ପରିବର୍ତ୍ତେ ଗୋଟିଏ ସାଧାରଣ ବୋର୍ଡ ଗଠନ କରିବାକୁ ଯୋଜନା ରହିଛି। ଏହି ନୂତନ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ହେବ, ସେ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।
ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଏବେ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ କରାଯିବ। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ମାଗଣା ଶିକ୍ଷା ପ୍ରଦାନ କରାଯିବ। ସେହିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅଯଥାରେ ଅଧିକ ଅର୍ଥ ଖର୍ଚ୍ଚ କରୁଥିବାରୁ ସେମାନଙ୍କୁ ମାଗଣା ଡିଜିଟାଲ୍ ଶିକ୍ଷା ଯୋଗାଇ ଦେବାକୁ ଗୁରୁତ୍ୱ ଦିଆଯାଉଛି। ଏହି ଡିଜିଟାଲ୍ ଭିତ୍ତିଭୂମିର ବିକାଶ ପାଇଁ CHSE କୁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।
କେବଳ ପାଠପଢ଼ା ନୁହେଁ, ଯୁକ୍ତ ଦୁଇ ସ୍ତରରୁ ହିଁ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ନିଯୁକ୍ତିପୋଯୋଗୀ କରିବା ପାଇଁ ଦକ୍ଷତା ବିକାଶ ତାଲିମ ଦିଆଯିବ। ପାଠ୍ୟକ୍ରମରେ ଦକ୍ଷତାଭିତ୍ତିକ ବିଷୟବସ୍ତୁ ସାମିଲ କରାଯିବ, ଯାହାଦ୍ୱାରା ପାଠପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀମାନେ ସହଜରେ କର୍ମନିଯୁକ୍ତି ପାଇପାରିବେ।




