ଭୁବନେଶ୍ୱର: ୨୦୨୬-୨୭ ଖରିଫ ଋତୁରେ ସରକାରଙ୍କୁ ଧାନ ବିକ୍ରି ପାଇଁ ଓଡ଼ିଶାରେ ୨୧ ଲକ୍ଷ ୮୨ ହଜାରରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ସୋମବାର ଚାଷୀ ପଞ୍ଜୀକରଣର ଶେଷ ଦିନ ଥିବା ବେଳେ ଏଥର ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ରେକର୍ଡ କରିଛି। ସରକାରୀ ପଞ୍ଜୀକରଣ ରିପୋର୍ଟ ଅନୁସାରେ, ମୋଟ ୨୧,୮୨,୬୧୧ ଚାଷୀ ପଞ୍ଜୀକରଣ କରିଛନ୍ତି।

ଚଳିତବର୍ଷ ଅଗଷ୍ଟ ୬ରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ପ୍ରଥମେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଅବଧି ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହାକୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବଢ଼ାଇଥିଲେ। ଏହା ପରେ ଆଉ ପଞ୍ଜୀକରଣ ଅବଧି ବଢ଼ିବ ନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସ୍ପଷ୍ଟ କରିଛନ୍ତି।

ବରଗଡ଼ରେ ସର୍ବାଧିକ ଚାଷୀ ପଞ୍ଜୀକୃତ

ଜିଲ୍ଲାୱାରୀ ତଥ୍ୟ ଅନୁସାରେ ବରଗଡ଼ରେ ୧ ଲକ୍ଷ ୮୩ ହଜାର ୯୧୯, ଗଞ୍ଜାମରେ ୧ ଲକ୍ଷ ୭୮ ହଜାର ୯୮୧ ଏବଂ କଳାହାଣ୍ଡିରେ ୧ ଲକ୍ଷ ୩୫ ହଜାର ୨୦୮ ଚାଷୀ ପଞ୍ଜୀକରଣ କରିଛନ୍ତି।

ସେହିପରି ବାଲେଶ୍ୱରରେ ୧ ଲକ୍ଷ ୨୨ ହଜାର ୩୭୬, ବଲାଙ୍ଗୀରରେ ୧ ଲକ୍ଷ ୨୦ ହଜାର ୫୧୬ ଏବଂ ମୟୂରଭଞ୍ଜରେ ୧ ଲକ୍ଷ ୫ ହଜାର ୩୨୮ ଚାଷୀ ପଞ୍ଜୀକୃତ ହୋଇଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୨୧,୮୧,୯୭୬ ଜଣଙ୍କ ଫାର୍ମର କୋଡ୍‌ ପ୍ରସ୍ତୁତ ହୋଇସାରିଛି। ପ୍ରାୟ ୭ ଲକ୍ଷ ୪୯ ହଜାର ଚାଷୀଙ୍କ AgriStack FID ମଧ୍ୟ ରହିଛି।

ଗତବର୍ଷଠାରୁ ବଢ଼ିଛି ପଞ୍ଜୀକରଣ

୨୦୨୫-୨୬ ଖରିଫ ଋତୁରେ ପ୍ରାୟ ୧୯ ଲକ୍ଷ ୬୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ଏହି ସଂଖ୍ୟା ୨୧.୮୨ ଲକ୍ଷରୁ ଅଧିକ ହୋଇଥିବାରୁ ପଞ୍ଜୀକରଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଏଥର AgriStack IDକୁ ନେଇ ଆରମ୍ଭରୁ ବିବାଦ ଦେଖାଦେଇଥିଲା। ତେବେ ସରକାର ସ୍ପଷ୍ଟ କରିଥିଲେ ଯେ AgriStack ID ନଥିଲେ ମଧ୍ୟ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିପାରିବେ। କୌଣସି ଚାଷୀଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରାଯିବ ନାହିଁ ବୋଲି ମଧ୍ୟ ସରକାର ଆଶ୍ୱାସନ ଦେଇଥିଲେ।

ସାର ଯୋଗାଣ ନେଇ ସରକାରଙ୍କ ସୂଚନା

ଚାଷୀଙ୍କୁ ସାର ଯୋଗାଣ ନେଇ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ରାଜ୍ୟ ସରକାରଙ୍କ ପାଖରେ ଏପର୍ଯ୍ୟନ୍ତ ୨ ଲକ୍ଷ ୯୭ ହଜାର ଟନ୍‌ ସାର ପହଞ୍ଚିଛି। ଏଥିରୁ ପ୍ୟାକ୍ସଗୁଡ଼ିକୁ ପ୍ରାୟ ୨ ଲକ୍ଷ ୬୭ ହଜାର ଟନ୍‌ ଏବଂ ଡିଲରମାନଙ୍କୁ ୨,୪୧୧ ଟନ୍‌ ସାର ଯୋଗାଇ ଦିଆଯାଇଛି। ସରକାରଙ୍କ ପାଖରେ ପ୍ରାୟ ୨୪ ହଜାର ୪୦୦ ଟନ୍‌ ସାର ମହଜୁଦ ରହିଛି।

ଚାଷୀଙ୍କୁ ସାର ଯୋଗାଣରେ ଅବହେଳା କରୁଥିବା ଡିଲରଙ୍କ ବିରୋଧରେ ନିଲମ୍ବନ ଓ ଲାଇସେନ୍ସ ରଦ୍ଦ ଭଳି କଠୋର ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି।