ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କଡ଼ା ମାର୍ଗଦର୍ଶିକା (ଗାଇଡ୍ଲାଇନ୍) ଜାରି କରାଯାଇଛି।
କମିଶନରେଟ୍ ପୁଲିସର ନୂଆ ନିୟମ ଅନୁଯାୟୀ, ପୂଜା ଓ ଭାସାଣ ଶୋଭାଯାତ୍ରା ସମୟରେ ଡିଜେ (DJ) ବଜାଇବା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଯାଇଛି। କେବଳ ପାରମ୍ପରିକ ବାଜା ଓ କମ୍ ଶବ୍ଦବିଶିଷ୍ଟ ମାଇକ୍ରୋଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଶୋଭାଯାତ୍ରା ସମୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି କେବଳ ରାତି ୧୦ଟା ପର୍ଯ୍ୟନ୍ତ ଚାଲିପାରିବ।
ମୂର୍ତ୍ତି ବିସର୍ଜନ ପାଇଁ ତିନୋଟି ସ୍ୱତନ୍ତ୍ର ତାରିଖ, ସେପ୍ଟେମ୍ବର ୧୬, ୧୮ ଏବଂ ୨୦ ନିର୍ଦ୍ଧାରଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସକାଳ ୯ଟାରୁ ୧୧ଟା ଏବଂ ସନ୍ଧ୍ୟା ୫ଟା ୩୦ରୁ ରାତି ୮ଟା ଭଳି ପ୍ରମୁଖ ଟ୍ରାଫିକ୍ ସମୟରେ ଶୋଭାଯାତ୍ରା କରିବାକୁ ବାରଣ କରାଯାଇଛି। ଏହାସହ ଜାତୀୟ ରାଜପଥରେ ଶୋଭାଯାତ୍ରା ନେବାକୁ ଅନୁମତି ଦିଆଯିବ ନାହିଁ।
ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ କେବଳ ସରକାରୀ ଭାବେ ଚିହ୍ନଟ ହୋଇଥିବା ଅସ୍ଥାୟୀ ପୋଖରୀଗୁଡ଼ିକରେ ହିଁ ବିସର୍ଜନ କରାଯିବ। ଏଥିମଧ୍ୟରେ ଦୟା ନଦୀ କୂଳସ୍ଥ ଲିଙ୍ଗୀପୁର, କୁଆଖାଇ ନଦୀ କୂଳସ୍ଥ ପଲାଶୁଣି, ହଂସପାଳ ଓ ବାସୁଆଘାଇ, ଜଟଣୀସ୍ଥିତ KIST କେନାଲ, ଚନ୍ଦକା ନାଲାନ୍ଦା ଇନ୍ଷ୍ଟିଚ୍ୟୁଟ୍ ନିକଟସ୍ଥ ଅସ୍ଥାୟୀ ଗାଡ଼ ଏବଂ ବାଲିଅନ୍ତା ଥାନା ଅନ୍ତର୍ଗତ କୁଶଭଦ୍ରା ନଦୀ କୂଳରେ ନିର୍ମିତ ଅସ୍ଥାୟୀ ପୋଖରୀ ସାମିଲ ରହିଛି। ଜଟଣୀ ଥାନା ଅଞ୍ଚଳ ପାଇଁ ସେପ୍ଟେମ୍ବର ୨୬ରେ ପୃଥକ୍ ଭାସାଣ ଶୋଭାଯାତ୍ରା ପ୍ରସ୍ତାବିତ ରହିଛି।
ଚଳିତ ବର୍ଷ ଭୁବନେଶ୍ୱର ସହରର ୩୮୦ଟି ଏବଂ ଜଟଣୀ ଅଞ୍ଚଳର ୪୦ଟିକୁ ମିଶାଇ ମୋଟ ୪୨୦ଟି ମଣ୍ଡପରେ ଗଣେଶ ପୂଜା ଆୟୋଜିତ ହେବାକୁ ଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୪ ଜଣ ଆଡିସନାଲ ଡିସିପି, ୧୦ ଜଣ ଏସିପି, ୩୨ ଜଣ ଇନ୍ସପେକ୍ଟର, ୧୦୦ ଜଣ SI/ASI, ୨୦ ଜଣ ମହିଳା କନଷ୍ଟେବଳ, ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ଗୋଟିଏ ODRAF ଟିମ୍ ମୋତୟନ କରାଯାଇଛି। ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।




