ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ବିକାଶ ଓ ବୈଶ୍ୱିକ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଅରବ ଏମିରେଟ୍ସ ଗସ୍ତରେ ଯାଇଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଆନ୍ତର୍ଜାତୀୟ ପୁଞ୍ଜିନିବେଶ ରୋଡ୍ସୋ। ଏହି ତିନି ଦିନିଆ ସରକାରୀ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଆବୁଧାବି ଏବଂ ଦୁବାଇରେ ବହୁ ଶିଳ୍ପପତି, ନିବେଶକ ଏବଂ ବ୍ୟବସାୟିକ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଆବୁଧାବିରୁ ଆରମ୍ଭ ହେବ। ସେଠାରେ ସେ ବିଶ୍ୱର ଅନ୍ୟତମ ପ୍ରମୁଖ ନିବେଶକାରୀ ସଂସ୍ଥା ‘ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ’ (IHC) ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଗୋଲଟେବୁଲ ବୈଠକରେ ଭାଗ ନେବେ। ଏହାସହ ୟୁଏଇର ନିବେଶ ମନ୍ତ୍ରୀ ଓ ବିଭିନ୍ନ ସୋଭରେନ୍ ୱେଲଥ୍ ଫଣ୍ଡର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରିବା ସହ କେତେକ ଦ୍ୱିପାକ୍ଷିକ ସହଯୋଗ ସ୍ମାରକପତ୍ର (MoC) ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି।
ଏହାପରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତ କରିବେ, ଯେଉଁଠାରେ ସେ ବିଭିନ୍ନ କମ୍ପାନୀର ମୁଖ୍ୟ ଓ ଶିଳ୍ପପତିମାନଙ୍କ ସହ ସାକ୍ଷାତ କରିବେ।ସେପ୍ଟେମ୍ବର ୧୧ ତାରିଖରେ ଦୁବାଇରେ ଆୟୋଜିତ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଅବସରରେ ସେ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମତବିନିମୟ କରିବେ।
ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ‘X’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳ ଭାବେ ଉଭା ହେଉଛି। ସହଜ ବ୍ୟବସାୟିକ ପରିବେଶ (EoDB), ସରକାରୀ ନୀତି ଏବଂ ଦ୍ରୁତ ପ୍ରକଳ୍ପ କାର୍ଯ୍ୟକାରିତା ଯୋଗୁଁ ନିବେଶକଙ୍କ ଆସ୍ଥା ବୃଦ୍ଧି ପାଇଛି। ଓଡ଼ିଶାକୁ ନିବେଶକଙ୍କ ପ୍ରଥମ ପସନ୍ଦ କରିବା ଆମର ମୁଖ୍ୟ ଲକ୍ଷ୍ୟ।”
ଏହି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗାର୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ୟୁଏଇରୁ ବିଭିନ୍ନ କ୍ଷେତ୍ର ଯଥା: ପେଟ୍ରୋକେମିକାଲ୍ସ, ଲଜିଷ୍ଟିକ୍ସ, ନବୀକରଣ ଯୋଗ୍ୟ ଶକ୍ତି, ଖାଦ୍ୟ ପ୍ରସେସିଂ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ପୁଞ୍ଜି ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୨ ତାରିଖରେ ଗସ୍ତ ସାରି ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।




