ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ପବିତ୍ର ପରମ୍ପରା, ନାମ ଓ ଚିହ୍ନର ବାଣିଜ୍ୟିକ ଦୁରୁପଯୋଗ ରୋକିବାକୁ ଟ୍ରେଡ୍ମାର୍କ ସୁରକ୍ଷା ପ୍ରକ୍ରିୟାକୁ ଆହୁରି ଆଗକୁ ବଢ଼ାଯାଇଛି। ଶ୍ରୀମନ୍ଦିର ସହ ସମ୍ପର୍କିତ ଆଉ ତିନିଟି ଚିହ୍ନ ଓ ନାମର ଟ୍ରେଡ୍ମାର୍କ ପଞ୍ଜୀକରଣ ଆବେଦନକୁ ପ୍ରକାଶନ ପାଇଁ ଟ୍ରେଡ୍ମାର୍କସ୍ ରେଜିଷ୍ଟ୍ରି ଗ୍ରହଣ କରିଛି।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ପ୍ରେସ୍ବିବୃତିରେ କୁହାଯାଇଛି, ଶ୍ରୀମନ୍ଦିର ସହ ଜଡ଼ିତ ଅନନ୍ୟ ଆନୁଷ୍ଠାନିକ ପରମ୍ପରା ଓ ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଉଛି।
ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ
ଶ୍ରୀମନ୍ଦିର ସହ ସମ୍ପର୍କିତ ବିଭିନ୍ନ ନାମ ଓ ଚିହ୍ନକୁ ଟ୍ରେଡ୍ମାର୍କ ସୁରକ୍ଷା ଦେବା ପାଇଁ ପର୍ଯ୍ୟାୟକ୍ରମେ ଆବେଦନ କରାଯାଉଛି।
ପ୍ରଥମ ପର୍ଯ୍ୟାୟରେ ଆନନ୍ଦବଜାର, ପତିତପାବନ ଓ ନୀଳଚକ୍ର ଲୋଗୋକୁ ଟ୍ରେଡ୍ମାର୍କସ୍ ରେଜିଷ୍ଟ୍ରି ପ୍ରକାଶନ ପାଇଁ ଗ୍ରହଣ କରିଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ଜଗନ୍ନାଥ ଧାନ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠ ସମ୍ପର୍କିତ ଆବେଦନକୁ ମଧ୍ୟ ପ୍ରକାଶନ ପାଇଁ ଗ୍ରହଣ କରାଯାଇଛି।
ବାଣିଜ୍ୟିକ ଦୁରୁପଯୋଗ ରୋକିବା ଲକ୍ଷ୍ୟ
ଶ୍ରୀମନ୍ଦିର ସହ ଜଡ଼ିତ ପବିତ୍ର ନାମ, ଚିହ୍ନ ଓ ପରମ୍ପରାକୁ ବାଣିଜ୍ୟିକ ଭାବେ ଅନୁଚିତ ବ୍ୟବହାର କରାଯିବାରୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ପବିତ୍ର ଓ ସ୍ୱତନ୍ତ୍ର ପରମ୍ପରାର ବୌଦ୍ଧିକ ସମ୍ପତ୍ତି ସୁରକ୍ଷିତ ରଖିବା ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉଛି।
ଆଗାମୀ ଦିନରେ ଶ୍ରୀମନ୍ଦିର ସହ ସମ୍ପର୍କିତ ଅନ୍ୟାନ୍ୟ ନାମ ଓ ଚିହ୍ନର ଟ୍ରେଡ୍ମାର୍କ ସୁରକ୍ଷା ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।




