ଭୁବନେଶ୍ୱର: ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ (OMFED) କ୍ଷୀର ସଂଗ୍ରହ ମୂଲ୍ୟରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନୂଆ ଦର ସେପ୍ଟେମ୍ବର ୧୧ ତାରିଖରୁ ଲାଗୁ ହେବ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ସିଧାସଳଖ ଉପକୃତ ହେବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚାଷୀଙ୍କଠାରୁ କ୍ରୟ ମୂଲ୍ୟ ବୃଦ୍ଧି କରାଯାଇଥିଲେ ହେଁ ସାଧାରଣ ଗ୍ରାହକଙ୍କ ପାଇଁ ଓମ୍‌ଫେଡ୍ କ୍ଷୀର କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଖୁଚୁରା ବିକ୍ରି ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ସମ୍ପ୍ରତି ଗୋ-ଖାଦ୍ୟ ଏବଂ ଚାଷ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଥିବାରୁ ଦୁଗ୍ଧ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ମକା, ଡି-ଓଏଲ୍‌ଡ୍ ରାଇସ୍ ବ୍ରାନ୍ (DORB), ରାଇସ୍ ପଲିସ୍ ଏବଂ ସୋରିଷ ପିଡ଼ିଆ ଭଳି ମୁଖ୍ୟ ଗୋ-ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବା ସହ ଜାଳେଣି ଓ ପରିବହନ ଖର୍ଚ୍ଚ ମଧ୍ୟ ବଢ଼ିଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଚାଷୀ-ଅନୁକୂଳ ନିଷ୍ପତ୍ତି ନେଇଛନ୍ତି।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଓମ୍‌ଫେଡ୍‌ ବର୍ତ୍ତମାନ ରାଜ୍ୟର ୪,୬୧୬ଟି ପ୍ରାଥମିକ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଦୈନିକ ୭ ଲକ୍ଷ ଲିଟରରୁ ଅଧିକ କ୍ଷୀର ସଂଗ୍ରହ କରୁଛି।

ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ , ଗୋକୁଳାନନ୍ଦ ମଲ୍ଲିକଙ୍କ କହିବା ମୁତାବକ ରାଜ୍ୟସାରା ଦୁଗ୍ଧ ଉତ୍ପାଦକମାନଙ୍କ ଦାବି ଏବଂ ଆବଶ୍ୟକତାକୁ ନଜରରେ ରଖି ଓମ୍‌ଫେଡ୍‌ ସେପ୍ଟେମ୍ବର ୧୧ ରୁ କ୍ରୟ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।”

ରାଜ୍ୟରେ ଦୁଗ୍ଧ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ୧,୨୦୦ଟି ନୂଆ ଦୁଗ୍ଧ ସମବାୟ ସମିତି ଗଠନ କରିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ୪,୬୧୬ଟି ସମିତି କାର୍ଯ୍ୟକ୍ଷମ ଥିବା ବେଳେ ଏହି ନୂଆ ୟୁନିଟ୍‌ଗୁଡ଼ିକର କାର୍ଯ୍ୟ ଅତି ଶୀଘ୍ର ଆରମ୍ଭ ହେବ, ଯାହା ଗ୍ରାମାଞ୍ଚଳରେ ଆତ୍ମନିର୍ଭରଶୀଳତା ଓ ରୋଜଗାର ବୃଦ୍ଧିରେ ସହାୟକ ହେବ।