ଭୁବନେଶ୍ୱର: ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ ବା MMDR ଆକ୍ଟକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଲୋକଭବନ ଅଭିମୁଖେ ଗତି କରୁଥିବା ବେଳେ ପାୱାର ହାଉସ୍ ଛକ ନିକଟରେ ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ତୀବ୍ର ଧସ୍ତାଧସ୍ତି ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଆଇନକୁ ‘କଳା ଆଇନ’ ଅଭିହିତ କଲା BJD
ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେଡିର ଶତାଧିକ କର୍ମୀ, ବରିଷ୍ଠ ନେତା ଏବଂ ବିଧାୟକମାନେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ସଂଶୋଧିତ MMDR ଆଇନକୁ “କଳା ଆଇନ” ବୋଲି ଅଭିହିତ କରାଯାଇଛି।
ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଏହି ସଂଶୋଧିତ ଆଇନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଏବଂ ରାଜ୍ୟର ଅର୍ଥନୈତିକ ସ୍ୱାର୍ଥ ଗୁରୁତର ଭାବେ ପ୍ରଭାବିତ ହେବ। ରାଜ୍ୟର ଅଧିକାରକୁ କ୍ଷୁଣ୍ଣ କରୁଥିବା ଏହି ଆଇନକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନ ଜାରି ରଖିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ବିକ୍ଷୋଭକାରୀମାନେ ଲୋକଭବନ ଆଡ଼କୁ ଆଗେଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ବ୍ୟାରିକେଡ୍ ଲଗାଇ ଅଟକାଇଥିଲା। ଏହାକୁ ନେଇ କିଛି ସମୟ ପାଇଁ ପାୱାର ହାଉସ୍ ଛକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ, ବିଜେଡିର ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ସେମାନେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର କରି ଏହି ବିବାଦୀୟ MMDR ଆଇନର ପୁନଃବିଚାର କରିବା ସହ ଏହାକୁ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି।
ଆଗକୁ ବିଧାନସଭା ଅଧିବେଶନ ଆସୁଥିବାରୁ ଏହି ଖଣି ଆଇନ ପ୍ରସଙ୍ଗକୁ ଅସ୍ତ୍ର କରି ବିରୋଧୀ ବିଜେଡି ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଆସନ୍ତା ଦିନରେ ଏହି ମୁଦ୍ଦାକୁ ନେଇ ରାଜ୍ୟ ରାଜନୀତି ଆହୁରି ସରଗରମ ହେବାର ସମ୍ଭାବନା ରହିଛି।




