ଭୁବନେଶ୍ୱର: ଏଣିକି ପୁଲିସ ସେବା ପାଇଁ ବାରମ୍ବାର କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ିବନି। ‘ଆମ ସାଥୀ’ ୟୁନିଫାଏଡ୍‌ ହ୍ୱାଟ୍ସଆପ୍‌ ବଟ୍‌ରେ ଓଡ଼ିଶା ପୁଲିସର ୧୪ଟି ପୁଲିସ-ନାଗରିକ ସେବା ଯୋଡ଼ାଯାଇଛି। ଏହା ମାଧ୍ୟମରେ ଲୋକେ ଘରେ ବସି ୨୪ ଘଣ୍ଟିଆ ଡିଜିଟାଲ୍‌ ସେବା ପାଇପାରିବେ।

ଶୁକ୍ରବାର ଭୁବନେଶ୍ୱରସ୍ଥିତ DGP କ୍ୟାମ୍ପ ଅଫିସ୍‌ରେ DGP ବିନୟତୋଷ ମିଶ୍ର ଏହି ନୂଆ ସେବାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍‌ ସୁଶାସନ ପଦକ୍ଷେପ ଅଧୀନରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (SCRB) ପକ୍ଷରୁ ଆବଶ୍ୟକ ବୈଷୟିକ ସମନ୍ୱୟ କରାଯାଇଛି।

କେଉଁ ୧୪ଟି ସେବା ମିଳିବ?

‘ଆମ ସାଥୀ’ ହ୍ୱାଟ୍ସଆପ୍‌ ବଟ୍‌ରେ ଉପଲବ୍ଧ ସେବାଗୁଡ଼ିକ ହେଲା—

୧. ଚରିତ୍ର ପ୍ରମାଣପତ୍ର
୨. ବରିଷ୍ଠ ନାଗରିକ ପଞ୍ଜୀକରଣ
୩. କର୍ମଚାରୀ ସତ୍ୟାପନ
୪. ହଜିଯାଇଥିବା ସମ୍ପତ୍ତି/ଦଲିଲ୍‌ ସମ୍ପର୍କିତ ରିପୋର୍ଟ
୫. ଲାଉଡ୍‌ସ୍ପିକର୍‌ ଅନୁମତି ପାଇଁ NOC
୬. ଭଡ଼ାଟିଆ/PG ସତ୍ୟାପନ
୭. ହଜିଯାଇଥିବା ସମ୍ପତ୍ତି ପଞ୍ଜୀକରଣ
୮. ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ
୯. ଅଭିଯୋଗ ପଞ୍ଜୀକରଣ
୧୦. କର୍ମଚାରୀ/ଘରୋଇ ସହାୟକ ନିୟୋଜନ ସତ୍ୟାପନ
୧୧. କାର୍ଯ୍ୟକ୍ରମ/ପ୍ରଦର୍ଶନ ପାଇଁ ଅନୁମତି
୧୨. ଧାରଣା/ଧର୍ମଘଟ ପାଇଁ ଅନୁମତି
୧୩. FIRର ନକଲ
୧୪. ସଡ଼କ ଦୁର୍ଘଟଣା, ଚୋରି ଯାନବାହନ ଓ ଚୋରି ମାମଲା ସମ୍ପର୍କିତ Final Formର ନକଲ।

କିପରି ବ୍ୟବହାର କରିବେ?

ଏହି ସେବା ପାଇଁ ପ୍ରଥମେ ‘ଆମ ସାଥୀ’ର ହ୍ୱାଟ୍ସଆପ୍‌ ନମ୍ବର ୯୪୩୭୨୯୨୦୦୦ ମୋବାଇଲ୍‌ରେ ସେଭ୍‌ କରି ‘Hi’ ଲେଖି ପଠାଇବାକୁ ପଡ଼ିବ। ପରେ ଭାଷା ଚୟନ କରି ଆବଶ୍ୟକ ପୁଲିସ ସେବା ବାଛିବାକୁ ହେବ।

ସେବା ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ଦଲିଲ୍‌ ହ୍ୱାଟ୍ସଆପ୍‌ରେ ଦାଖଲ କରିବା ପରେ ଆବେଦନଟି ସମ୍ପୃକ୍ତ ପୁଲିସ କାର୍ଯ୍ୟାଳୟ କିମ୍ବା କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଆବେଦନ ପରେ ଏକ ରେଫରେନ୍ସ ନମ୍ବର ମିଳିବ, ଯାହା ମାଧ୍ୟମରେ ଆବେଦନର ସ୍ଥିତି ମଧ୍ୟ ଜାଣିହେବ।

ପ୍ରକ୍ରିୟା ଶେଷ ହେବା ପରେ ଯେଉଁ ସେବାରେ ଡିଜିଟାଲ୍‌ ଦଲିଲ୍‌ ପ୍ରଦାନର ସୁବିଧା ରହିଛି, ସେଠାରେ ଅନୁମୋଦିତ ଦଲିଲ୍‌ ହ୍ୱାଟ୍ସଆପ୍‌ ମାଧ୍ୟମରେ ମିଳିପାରିବ।

‘ଆମ ସାଥୀ’ର ବ୍ୟାପକ ଉଦ୍ଦେଶ୍ୟ

CMGI, SCRB, ଓଡ଼ିଶା ପୁଲିସ ଓ Meta Indiaର ସହଭାଗିତାରେ ‘ଆମ ସାଥୀ’ ୟୁନିଫାଏଡ୍‌ ହ୍ୱାଟ୍ସଆପ୍‌ ବଟ୍‌ ବିକଶିତ ହୋଇଛି। ବିଭିନ୍ନ ସରକାରୀ ସେବାକୁ ଗୋଟିଏ ଡିଜିଟାଲ୍‌ ପ୍ଲାଟଫର୍ମରେ ଲୋକଙ୍କ ନିକଟରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।