ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ଭଣ୍ଡାରରେ ଭାରତ ଆଉ ଏକ ବଡ଼ ଉପଲବ୍ଧି ହାସଲ କରିଛି। ରୁଷିଆକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ସର୍ବାଧିକ ବୈଦେଶିକ ମୁଦ୍ରା ଭଣ୍ଡାର ଥିବା ଦେଶ ହୋଇଛି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ, ସେପ୍ଟେମ୍ବର ୪ରେ ଶେଷ ହୋଇଥିବା ସପ୍ତାହରେ ଭାରତର ଫରେକ୍ସ ରିଜର୍ଭ ୪୪.୯୦୩ ବିଲିୟନ ଡଲାର ବଢ଼ି ୭୮୫.୭୦୬ ବିଲିୟନ ଡଲାରରେ ପହଞ୍ଚିଛି। ଏହା ଏପର୍ଯ୍ୟନ୍ତର ସର୍ବୋଚ୍ଚ ସ୍ତର।

ଚୀନ୍‌, ଜାପାନ ଓ ସ୍ୱିଜରଲ୍ୟାଣ୍ଡ ପରେ ଭାରତ

୭୮୫.୭ ବିଲିୟନ ଡଲାରର ଭଣ୍ଡାର ସହ ଭାରତ ଏବେ ଚୀନ୍‌, ଜାପାନ ଓ ସ୍ୱିଜରଲ୍ୟାଣ୍ଡ ପଛକୁ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି। ରେକର୍ଡ ବୃଦ୍ଧି ଯୋଗୁଁ ଭାରତ ରୁଷିଆକୁ ପଛରେ ପକାଇଛି।

ଗୋଟିଏ ସପ୍ତାହରେ ୪୪.୯ ବିଲିୟନ ଡଲାର ବୃଦ୍ଧି

ଏହି ବୃଦ୍ଧି ପଛରେ ବୈଦେଶିକ ମୁଦ୍ରା ପ୍ରବାହ ଓ ରିଜର୍ଭ ବ୍ୟାଙ୍କର ଡଲାର ମୋବିଲାଇଜେସନ୍‌ କାର୍ଯ୍ୟକ୍ରମ ପ୍ରମୁଖ କାରଣ ବୋଲି ରିପୋର୍ଟରେ କୁହାଯାଇଛି। ସପ୍ତାହକ ମଧ୍ୟରେ ବୈଦେଶିକ ମୁଦ୍ରା ସମ୍ପତ୍ତି ୪୭.୪୯ ବିଲିୟନ ଡଲାର ବଢ଼ି ୬୪୮.୧୬ ବିଲିୟନ ଡଲାରରେ ପହଞ୍ଚିଛି।

ଅନ୍ୟପକ୍ଷରେ ସୁନା ଭଣ୍ଡାରର ମୂଲ୍ୟ ୨.୫୯ ବିଲିୟନ ଡଲାର କମି ୧୧୩.୮୧ ବିଲିୟନ ଡଲାର ହୋଇଛି। ଏହା ସତ୍ତ୍ୱେ ସମୁଦାୟ ଫରେକ୍ସ ରିଜର୍ଭ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି।

ଅର୍ଥନୈତିକ ସ୍ଥିରତାକୁ ମିଳିବ ଶକ୍ତି

ବଡ଼ ବୈଦେଶିକ ମୁଦ୍ରା ଭଣ୍ଡାର ଆନ୍ତର୍ଜାତୀୟ ବଜାରର ଅସ୍ଥିରତା ସମୟରେ ଭାରତକୁ ବାହ୍ୟ ଆର୍ଥିକ ଝଟକାରୁ ସୁରକ୍ଷା ଦେବା ସହ ରୁପିଆ ଓ ଆମଦାନି ଆବଶ୍ୟକତା ପରିଚାଳନାରେ ଆରବିଆଇକୁ ଅଧିକ ସୁବିଧା ଦେବ। ଏହା ଭାରତର ବାହ୍ୟ ଆର୍ଥିକ ସ୍ଥିତିକୁ ମଧ୍ୟ ଅଧିକ ମଜବୁତ କରିଛି।