ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ୫ଟି ଉଦ୍ଧାର ଶିଶୁ ଓରାଂଓଟାଙ୍ଗଙ୍କୁ ଶୀଘ୍ର ଏକ ଖୋଲା ଆବଦ୍ଧ ପ୍ରକୋଷ୍ଠ କୁ ଛଡ଼ାଯିବାର ଯୋଜନା କରାଯାଉଛି। ସେମାନଙ୍କର ଶାରୀରିକ ସକ୍ରିୟତା ବୃଦ୍ଧି, ମାନସିକ ଚାପ ଦୂରୀକରଣ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ପଦକ୍ଷେପ ବିଷୟରେ ବିଚାର କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରସ୍ତାବକୁ ଶେଷ ନିଷ୍ପତ୍ତି ନିଆଯିବା ପୂର୍ବରୁ ନବଗଠିତ ବୈଷୟିକ କମିଟିର ସମ୍ମତି ପାଇଁ ଉପସ୍ଥାପନ କରାଯିବ। ବର୍ତ୍ତମାନ ଏହି ଶିଶୁ ଓରାଂଓଟାଙ୍ଗଗୁଡ଼ିକୁ ହ୍ୟାଣ୍ଡ ରିୟରିଂ ସେଣ୍ଟର (HRC)ର ଏକ ଶୀତତାପ ନିୟନ୍ତ୍ରିତ ଆବଦ୍ଧ କୋଠରୀରେ ୨୪ ଘଣ୍ଟିଆ ନଜରଦାରୀ ମଧ୍ୟରେ ରଖାଯାଇଛି। HRC ନିକଟରେ ଥିବା ଖୋଲା ଆବଦ୍ଧ ପ୍ରକୋଷ୍ଠରେ ସେମାନଙ୍କୁ କିଛି ସମୟ ପାଇଁ ଛଡ଼ାଗଲେ, ସେମାନେ ପ୍ରାକୃତିକ ପରିବେଶର ଅନୁଭୂତି ପାଇପାରିବେ, ଯାହା ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ସହାୟକ ହେବ।
ଅନ୍ୟପଟେ, ଜ୍ୱରରେ ପୀଡ଼ିତ ଥିବା ଗୋଟିଏ ଶିଶୁ ଓରାଂଓଟାଙ୍ଗର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତା’ର ଶରୀରର ତାପମାତ୍ରା ଏବେ ସାଧାରଣ ରହିଛି। ଅନ୍ୟ ସମସ୍ତ ଓରାଂଓଟାଙ୍ଗଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରାଣୀଚିକିତ୍ସକ ଏବଂ କେୟାରଟେକରମାନେ ତୀକ୍ଷ୍ଣ ନଜର ରଖିଛନ୍ତି।
୫ ଜଣିଆ ବୈଷୟିକ କମିଟି ଗଠନ:
ଏହି ଉଦ୍ଧାର ଆପ୍ (Apes)ମାନଙ୍କର ଦୀର୍ଘକାଳୀନ ଯତ୍ନ ଓ କଲ୍ୟାଣ ପାଇଁ ନନ୍ଦନକାନନ ପକ୍ଷରୁ ଏକ ୫ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ଏହି କମିଟିରେ ମାଇସୁରୁର ଚାମରାଜେନ୍ଦ୍ର ଜୁଲୋଜିକାଲ ଗାର୍ଡେନ୍ସର ଜଣେ ଭେଟେରିନାରୀ ଅଫିସର, ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ପ୍ରତିନିଧି, ଓୟୁଏଟି (OUAT) ସେଣ୍ଟର ଫୋର୍ ୱାଇଲ୍ଡଲାଇଫ୍ ହେଲଥ୍ର ପ୍ରୋଜେକ୍ଟ କୋଅର୍ଡିନେଟର, ନୂଆଦିଲ୍ଲୀ ନ୍ୟାସନାଲ ଜୁଲୋଜିକାଲ ପାର୍କର ନିର୍ଦ୍ଦେଶକଙ୍କ ଦ୍ୱାରା ମନୋନୀତ ଜଣେ ଭେଟେରିନାରୀ ଅଫିସର, ନନ୍ଦନକାନନ ନିର୍ଦ୍ଦେଶକ (ସଦସ୍ୟ ଆହ୍ୱାୟକ) ଅନ୍ତର୍ଭୁକ୍ତ ଅଛନ୍ତି।
ସେମାନଙ୍କର ଦୀର୍ଘକାଳୀନ ପୁନର୍ବାସ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ, ସେମାନଙ୍କୁ ପ୍ରାକୃତିକ ପରିବେଶ ସହ ଅଭ୍ୟସ୍ତ କରାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।




