ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ମାଜାଲତା ଅଞ୍ଚଳରେ ରାତିସାରା ଚାଲିଥିବା ଏହି ଗୁଳିକାଣ୍ଡରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ର ଶାଖା ‘କାଶ୍ମୀର ଟାଇଗର୍ସ’ ସହ ଜଡ଼ିତ ୨ ଜଣ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ସକାଳେ ସେମାନଙ୍କ ଶବ ଉଦ୍ଧାର କରାଯିବା ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଗୁପ୍ତଚର ସୂଚନା ଆଧାରରେ ସୁରକ୍ଷା ବଳଙ୍କ ପକ୍ଷରୁ ମାଜାଲତା ଜଙ୍ଗଲ ଅଞ୍ଚଳରେ ଏକ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅଞ୍ଚଳଟି ଆତଙ୍କବାଦୀଙ୍କ ଯାତାୟାତ ପାଇଁ ଏକ ମୁଖ୍ୟ ଟ୍ରାଞ୍ଜିଟ୍ ରୁଟ୍ ଭାବେ ବ୍ୟବହୃତ ହୋଇଆସୁଥିଲା।
ଏହି ଯୁଗ୍ମ ଅପରେସନ୍ରେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ପାରା (ସ୍ପେଶାଲ ଫୋର୍ସ), ଜମ୍ମୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫ୍ ର ଯବାନମାନେ ସାମିଲ ଥିଲେ। ଯବାନମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ଆତଙ୍କବାଦୀଙ୍କୁ ଘେରିଯିବା ପରେ ଦୁଇପକ୍ଷ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଥିଲା।
ସେନାର ‘ହ୍ୱାଇଟ୍ ନାଇଟ୍ କୋର୍ସ’ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘X’ ରେ ସୂଚନା ଦେଇ କହିଛି ଯେ, “ପ୍ରତିକୂଳ ପାଣିପାଗ, ଦୁର୍ଗମ ପାହାଡ଼ିଆ ରାସ୍ତା ଏବଂ କମ୍ ଦୃଶ୍ୟମାନତା ସତ୍ତ୍ୱେ ଯବାନମାନେ ଏକ ସଫଳ କାଉଣ୍ଟର-ଟେରରିଜିମ୍ ଅପରେସନ୍ କରି ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।”
ନିହତ ଆତଙ୍କବାଦୀମାନେ ପାକିସ୍ତାନୀ ନାଗରିକ ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅନ୍ୟ କୌଣସି ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ସମଗ୍ର ଜଙ୍ଗଲ ଅଞ୍ଚଳକୁ ସିଲ୍ କରାଯାଇ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ଏନକାଉଣ୍ଟରର କିଛି ଦିନ ପୂର୍ବରୁ ସେପ୍ଟେମ୍ବର ୫ ତାରିଖରେ ବଡ଼ଗାମ ଜିଲ୍ଲାରେ ହୋଇଥିବା ଏକ ଅପରେସନ୍ରେ ପାକିସ୍ତାନୀ ଲସ୍କର-ଏ-ତୋଇବା କମାଣ୍ଡର ୟାସିରକୁ ସୁରକ୍ଷା ବଳ ନିପାତ କରିଥିଲେ।




