ହରିଦ୍ୱାର: ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ନୋଏଡ଼ାର ବହୁଚର୍ଚ୍ଚିତ ନିଠାରୀ ସିରିଏଲ୍ ହତ୍ୟାକାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲି ଆତ୍ମହତ୍ୟା କରିଛନ୍ତି। ଉତ୍ତରାଖଣ୍ଡର ହରିଦ୍ୱାର ସ୍ଥିତ ଏକ ଚା’ ଦୋକାନରୁ ତାଙ୍କ ମୃତଦେହ ଫାଶୀ ଓଲଟିଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି।

ଉତ୍ତର ହରିଦ୍ୱାରର ଭୂପତୱାଲା ସପ୍ତ ସରୋବର ମାର୍ଗସ୍ଥିତ ଲାଲମାତା ମନ୍ଦିର ସମ୍ମୁଖରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ କୋଲି ସେହି ସ୍ଥାନରେ ଏକ ଚା’ ଦୋକାନ ଚଲାଉଥିଲେ। ଶୁକ୍ରବାର ସକାଳେ ଦୋକାନ ଭିତରେ ରସି ଲଗାଇ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ସପ୍ତଋଷି ପୋଲିସ ଫାଣ୍ଡିର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ କୋଲି ଉତ୍ତରାଖଣ୍ଡର ଅଲମୋଡ଼ା ଜିଲ୍ଲା ଭିକିୟାସେନ୍ ଅଞ୍ଚଳର ମାଙ୍ଗରୁଖାଲ୍ ଗ୍ରାମର ନିବାସୀ ବୋଲି ପୋଲିସ ସ୍ପଷ୍ଟ କରିଛି। ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ବେଳେ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସରେ ସୁପ୍ରିମ୍ କୋର୍ଟ କୋଲିଙ୍କ କ୍ୟୁରେଟିଭ୍ ପିଟିସନ୍‌କୁ ଗ୍ରହଣ କରି ତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗଣମାଧ୍ୟମର ଗୁଜବ, ତଦନ୍ତରେ ତ୍ରୁଟି ଏବଂ ନରଭକ୍ଷଣ ଆଦି ସଂବେଦନଶୀଳ ଅଭିଯୋଗ ଉପରେ ଚାଲିଥିବା ଦୀର୍ଘ ଆଇନଗତ ପ୍ରକ୍ରିୟାର ଅନ୍ତ ଘଟିଥିଲା।

୨୦୦୬ ମସିହାରେ ନୋଏଡ଼ା ସେକ୍ଟର-୩୧ ସ୍ଥିତ ବ୍ୟବସାୟୀ ମନିନ୍ଦର ସିଂହ ପନ୍ଧେରଙ୍କ ବାସଭବନ ନିକଟସ୍ଥ ନାଳରୁ ନିଖୋଜ ଶିଶୁ ଓ ଯୁବତୀଙ୍କ ଅସ୍ଥିକଙ୍କାଳ ମିଳିବା ପରେ ଏହି ସିରିଏଲ୍ ହତ୍ୟାକାଣ୍ଡ ପଦାକୁ ଆସିଥିଲା। ଏହି ଘରଟି ‘ହାଉସ୍ ଅଫ୍ ହରର୍’ ଭାବେ କୁଖ୍ୟାତ ହୋଇପଡ଼ିଥିଲା।

ଏହି କାଣ୍ଡରେ ଅପହରଣ, ଦୁଷ୍କର୍ମ, ଶରୀରର ଅଙ୍ଗ ଚୋରାଚାଲାଣ ଏବଂ ନରଭକ୍ଷଣ ଭଳି ଭୟାନକ ଅଭିଯୋଗ ଆସିଥିଲା। ସମଗ୍ର ଘଟଣାରେ ସିବିଆଇ (CBI) ୧୯ଟି ମାମଲା ରୁଜୁ କରିଥିଲା। ଏଥିରେ ପନ୍ଧେରଙ୍କ ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଥିବା ସୁରେନ୍ଦ୍ର କୋଲିଙ୍କୁ ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡ ମଧ୍ୟ ଶୁଣାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରମାଣ ଅଭାବରୁ କେତେକ ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଫାଁସି ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଯାଇଥିଲା। ସୁପ୍ରିମ୍ କୋର୍ଟରୁ ମୁକ୍ତ ହେବା ପରେ ସେ ହରିଦ୍ୱାରରେ ସାଧାରଣ ଜୀବନ ବିତାଉଥିବା ବେଳେ ଏବେ ତାଙ୍କର ଏଭଳି ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ହୋଇଛି।