କଟକ: ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ବହୁ ବର୍ଷରୁ ଚାଲିଆସୁଥିବା ମହାନଦୀ ଜଳ ବିବାଦ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଉଭୟ ରାଜ୍ୟ ଦ୍ୱାରା ଦାଖଲ କରାଯାଇଥିବା ଜଳର ଉପଲବ୍ଧତା ଏବଂ ବ୍ୟବହାର ସମ୍ପର୍କିତ ତଥ୍ୟକୁ ସେଣ୍ଟ୍ରାଲ ୱାଟର କମିଶନ ର ବର୍ଦ୍ଧିତ ବୈଷୟିକ କମିଟି ଅନୁଧ୍ୟାନ କରୁଛି। ଟ୍ରିବ୍ୟୁନାଲରେ ଏହି କମିଟିର ଅଗ୍ରଗତି ନେଇ ସମୀକ୍ଷା ହେବାର କାର୍ଯ୍ୟକ୍ରମ ରହିଥିଲା।

ଏହି ନିଷ୍ପତ୍ତି ନେଇ ସୂଚନା ଦେଇ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, CWC ଅଧ୍ୟକ୍ଷଙ୍କ ପୌରୋହିତ୍ୟରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ମଧ୍ୟରେ ସଫଳତାର ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଛି। ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ପରବର୍ତ୍ତୀ ଆଲୋଚନା ଅନୁଷ୍ଠିତ ହେବ।

ଆଡଭୋକେଟ୍ ଜେନେରାଲ୍‌ଙ୍କ ଅନୁଯାୟୀ, CWC ବର୍ତ୍ତମାନ ଓଡ଼ିଶା ଏବଂ ଛତିଶଗଡ଼ – ଉଭୟ ରାଜ୍ୟର ଜଳ ସୁରକ୍ଷା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଳ ବଣ୍ଟନର ଏକ ସ୍ଥାୟୀ ରୂପରେଖ ପ୍ରସ୍ତୁତ କରୁଛି। ଜାରି ରହିଥିବା ବୈଷୟିକ ଆଲୋଚନା ମାଧ୍ୟମରେ ଜଳ ବଣ୍ଟନର ମାପଦଣ୍ଡ ଏବଂ ଆଧାରକୁ ଚୂଡ଼ାନ୍ତ କରାଯାଉଛି।

ଦୀର୍ଘଦିନର ଆଇନଗତ ଲଢ଼େଇ ଅପେକ୍ଷା ସହଯୋଗପୂର୍ଣ୍ଣ ମନୋଭାବ ଏହି ମାମଲାର ଶୀଘ୍ର ସମାଧାନ କରିପାରିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଜଳ ବିବାଦଗୁଡ଼ିକ କେବଳ ଅଦାଲତର ଆଇନଗତ ଲଢ଼େଇ ଦ୍ୱାରା କ୍ୱଚିତ୍ ସମାଧାନ ହୋଇଥାଏ।

“ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ରହିଥିବା ଏହି ବିବାଦ ଆପୋଷ ବୁଝାମଣା ଏବଂ ଭାଇଚାରାର ସହ ସମାଧାନ ହେବ,” ବୋଲି ସେ ଦୃଢ଼ତା ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ୨୧ ର ବୈଷୟିକ ବୈଠକ ଏବଂ ସେପ୍ଟେମ୍ବର ୨୮ ର ଟ୍ରିବ୍ୟୁନାଲ ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି।