ଭୁବନେଶ୍ୱର/ଅଗର ମାଲୱା:

ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନଲଖେଡ଼ା ଅଞ୍ଚଳରୁ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି। ପ୍ରବଳ ବର୍ଷା ଯୋଗୁଁ ଫୁଲିଥିବା ଏକ ନାଳ ପାର ହେବା ସମୟରେ କାର୍‌ଟି ପ୍ରଖର ସ୍ରୋତରେ ଭାସିଯିବାରୁ ୮ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଏବଂ ୩ ଜଣ ପୁରୁଷ ଥିବା ପୋଲିସ ସୂଚନା ଦେଇଛି।

ପୋଲିସର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସମସ୍ତ ମୃତକ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ବାସିନ୍ଦା। ସେମାନେ ଉଜ୍ଜୟିନୀରୁ ମା’ ବାଗଲାମୁଖୀ ମନ୍ଦିର ଦର୍ଶନ କରିବା ପାଇଁ ନଲଖେଡ଼ା ଯାଇଥିଲେ। ଦର୍ଶନ ସାରି ଫେରୁଥିବା ବେଳେ ମନ୍ଦିର ନିକଟସ୍ଥ ଏକ ନାଳରେ ପ୍ରବଳ ବର୍ଷା ହେତୁ ଜଳସ୍ତର ଓ ପାଣିର ସ୍ରୋତ ହଠାତ୍ ବୃଦ୍ଧି ପାଇଥିଲା।

ଏହି ସମୟରେ କାର୍‌ଟି ନାଳ ପାର ହେବାକୁ ଉଦ୍ୟମ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲା।

ଅଗର ମାଲୱା ଏସ୍‌ପି ଦିଲୀପ କୁମାର ସୋନିଙ୍କ କହିବା ଅନୁସାରେ, ନାଳରେ ପାଣିର ସ୍ରୋତ ପ୍ରବଳ ଥିବା ସତ୍ତ୍ୱେ ଡ୍ରାଇଭର ତରବରିଆ ଭାବେ ବ୍ରିଜ୍/ନାଳ ପାର ହେବାକୁ ଚେଷ୍ଟା କରିଥିଲେ। ଫଳରେ ଗାଡ଼ିଟି ସ୍ରୋତରେ ଭାସିଯାଇ ଏହି ବଡ଼ ବିପତ୍ତି ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପାଣି ମଧ୍ୟରୁ କାର୍‌ ଏବଂ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପୋଲିସ ମୃତକମାନଙ୍କର ସମ୍ପୂର୍ଣ୍ଣ ପରିଚୟ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିଥିବା ବେଳେ, ଓଡ଼ିଶାରେ ଥିବା ସେମାନଙ୍କ ପରିବାର ବର୍ଗଙ୍କୁ ଯୋଗାଯୋଗ କରାଯାଉଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଓ ମୃତକଙ୍କ ଗାଁରେ ଗଭୀର ଶୋକର ଛାୟା ଖେଳିଯାଇଛି।