ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ ଓଡ଼ିଶା ଉପକୂଳ ମହାନଦୀ ଅଫସୋର ବେସିନ୍‌ ର ଗଭୀର ସମୁଦ୍ରରେ ବିପୁଳ ପରିମାଣର ପ୍ରାକୃତିକ ଗ୍ୟାସ୍‌ ଠାବ କରିଛି। କୋଣାର୍କ ଉପକୂଳଠାରୁ ପ୍ରାୟ ୪୩ କିଲୋମିଟର ଦୂର ସମୁଦ୍ର ମଧ୍ୟରେ କମ୍ପାନୀର ‘ସମୁଦ୍ର ମନ୍ଥନ’ ଅଭିଯାନ ଅଧୀନରେ ଖନନ କରାଯାଇଥିବା ପ୍ରଥମ ଗଭୀର ସମୁଦ୍ର କୂପରୁ ଏହି ଗ୍ୟାସ୍‌ ସନ୍ଧାନ ମିଳିଛି।

ସେପ୍ଟେମ୍ବର ୧୮ ତାରିଖରେ MN-DW18-1-H-D କୂପ (ନାମାଙ୍କିତ MDW-28) ରୁ ୧,୪୪୧ ମିଟରରୁ ୧,୪୫୨ ମିଟର ଗଭୀରତା ମଧ୍ୟରେ ପ୍ରାକୃତିକ ଗ୍ୟାସ୍‌ ଗଚ୍ଛାତ ଥିବା ସ୍ପଷ୍ଟ ହୋଇଥିଲା।

ଗତ ଜୁଲାଇ ୨୫ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ‘ସମୁଦ୍ର ମନ୍ଥନ’ ଅଭିଯାନର ଶୁଭାରମ୍ଭ କରିଥିଲେ। ‘ପ୍ଲାଟିନମ୍ ଏକ୍ସପ୍ଲୋରର’ ଡ୍ରିଲସିପ୍ ସାହାଯ୍ୟରେ ୧,୬୨୩ ମିଟର ଗଭୀରତା ପର୍ଯ୍ୟନ୍ତ ଖନନ କରାଯାଇଥିଲା।

ସେପ୍ଟେମ୍ବର ୧୮ ରୁ ପରୀକ୍ଷାମୂଳକ ଭାବେ ଗ୍ୟାସ୍ ନିର୍ଗତ ହେବା ଆରମ୍ଭ ହୋଇଛି ଏବଂ ଏହାର ଚାପ ଓ ଉତ୍ପାଦନ ହାର ଆଶାଜନକ ରହିଛି।

ଏହି ସନ୍ଧାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ଏହା ବ୍ୟବସାୟିକ ଦୃଷ୍ଟିକୋଣରୁ କେତେ ଲାଭଦାୟକ, ତାହା ନିର୍ଦ୍ଧାରଣ କରିବା ପାଇଁ ଅଧିକ ଅନୁଧ୍ୟାନ ଓ ଆକଳନ ଆବଶ୍ୟକ ବୋଲି ONGC କହିଛି।

ଓଡ଼ିଶା ଉପକୂଳ ନିକଟରେ ଏହି ଗ୍ୟାସ୍‌ ମିଳିଥିବାରୁ ଭବିଷ୍ୟତରେ କମ୍ପାନୀର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ନିୟମାବଳୀ, ୨୦୨୫ ଅନୁଯାୟୀ ଅନ୍ୟାନ୍ୟ ପ୍ରକଳ୍ପ ସହ ଭିତ୍ତିଭୂମି ଭାଗବଣ୍ଟା କରି ଏହାର ଉତ୍ପାଦନ ସହଜ ହୋଇପାରିବ। ଦେଶର ଉର୍ଜା ସୁରକ୍ଷା ବୃଦ୍ଧି କରିବା ପାଇଁ ONGC ଗଭୀର ସମୁଦ୍ରରେ ଅନ୍ୱେଷଣ ଜାରି ରଖିବ ବୋଲି ପ୍ରକାଶ କରିଛି।